ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଭାଳୁଜୁରୀ ଗାଁ ରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଅଭିଯୋଗ ଅନୁଯାୟୀ, ମୃତକଙ୍କ ଚାଷୀ ଯୁଧୁଷ୍ଟିର ଭୋଇ (୪୦) ଶନିବାର ସନ୍ଧ୍ୟା ୭ .୩୦ ସମୟରେ ନିଜ କ୍ଷେତ ଆଡୁ ଘରକୁ ଫେରିଥିଲେ, ତେବେ ଘରକୁ ଆସି ନିଜ ପରିବାର ଲୋକଙ୍କୁ ଏକ କୀଟନାଶକ ବିଷ ପିଇ ଦେଇଥିବା କହିଥିଲେ । ପରିବାର ଲୋକ ସାଙ୍ଗେସଙ୍ଗେ ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ ସେଠାରୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ନେଇ ସେଠାରେ ଚିକିତ୍ସା କରାଯାଉଥିବା ସମୟରେ ଗତକାଲି ଦିନବେଳା ୩ଟାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ମୃତକ ଚାଷୀ ଜଣକ ଅନ୍ୟ ଗ୍ରାମ ତେଜରାମ ମାଝୀ ଓ ଗଙ୍ଗାଧର ମାଝୀ ୫ ଏକର ଜମିକୁ ଭାଗ ଚାଷୀ ଭାବେ ଓ ନିଜ ୨ ଏକର ଜମିରେ ଚାଷ କରିବା ପାଇଁ ତଳି ପକାଇଥିଲେ ହେଲେ ବର୍ଷା ଅଭାବ ଯୋଗୁଁ ତଳି ଲଗାଇ ପାରିନଥିଲେ ଓ ଧାରକରଜ କରିଥିବା ବେଳେ କ୍ଷତିଗ୍ରସ୍ତ ହେବାର ଆଶଂକା ନେଇ ବିଷ ପିଇ ଆତ୍ମହତ୍ୟା କରିଛି ବୋଲି ମୃତକ ଚାଷୀଙ୍କ କାକା ଜଗଦୀଶ ଭୋଇ କହିଛନ୍ତି । ମୃତକ ଚାଷୀ ଯୁଧିଷ୍ଠିର ଭୋଇଙ୍କ ୭ ଓ ୫ ବର୍ଷର ଦୁଇ ଝିଅ ଅଛନ୍ତି । ଆଜି ସୋମବାର ପରିବାର ଲୋକେ ଶବ ସଂସ୍କାର କରିଥିବା ଜଣାପଡିଛି । ମୃତକ ଚାଷୀ ଯୁଧିଷ୍ଠିର ପରିବାରର ଜଣେ ରୋଜଗାରକ୍ଷମ ଥିବାରୁ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।