ସମ୍ବଲପୁର:ସମ୍ବଲପୁରର ସମୃଦ୍ଧ ଇତିହାସର ମୂକ ସାକ୍ଷୀ ରାନୀବଖରୀର ପୁନରୁଦ୍ଧାର ସ୍ୱାଗତେୟ, କିନ୍ତୁ ତାହାକୁ ଏକ ଆଧୁନିକ ଭୋଜନାଳୟ ପାଇଁ ବ୍ୟବହାର ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରବଳ ଜନମତ ଗଢିଉଠିଛି ଓ ଆଜି ଏହାକୁ ନେଇ ସେଠାରେ ପ୍ରଦର୍ଶନ କରାଯାଇଥିଲା । ପୁନରୁଦ୍ଧାର ପରେ ଏହି ଐତିହାସିକ ଭବନରେ ଏକ ସଂଗ୍ରହାଳୟ ଖୋଲିବା ପାଇଁ ଦାବି କରାଯାଉଛି । ଏହି ପ୍ରଦର୍ଶନ ଆନ୍ଦୋଳନରେ ଏଠାକାର ଅନେକ ସାମାଜିକ ସଂଗଠନ ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ସ୍ଥାନୀୟ ଦୁଇଶହ ବର୍ଷ ପ୍ରାଚୀନ ସାପ୍ତାହିକ ହାଟ କମଲିବଜାରକୁ ଏଠାରୁ ମନ୍ଦଲିଆ ପଡିଆକୁ ଉଠାଇ ନେବାପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ମଧ୍ୟ ଏହା ସହିତ ବିରୋଧ କରାଯାଉଛି । ଅଞ୍ଚଳର ଅଧିଷ୍ଠାତ୍ରୀଦେବୀ ସମଲେଶ୍ୱରୀ ମନ୍ଦିର ବିକାଶ ନାଁରେ ସହସ୍ରାଧିକ ସ୍ଥାନୀୟ ଜନଙ୍କୁ ବିସ୍ଥାପିତ କରି ସେଠାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆଧୁନିକ ହୋଟେଲ ଓ ବଜାର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାକୁ ମଧ୍ୟ ନିନ୍ଦାକରିବା ସହିତ ବିରୋଧ କରାଯାଉଛି । ଏଥିପାଇଁ ପ୍ରବଳ ଖରାରେ ଶତାଧିକ ମହିଳା ଓ ଜନସାଧାରଣ ଆଜି ସେଠାରେ ପ୍ରଦର୍ଶନ ଆନ୍ଦୋଳନ ରେ ସାମିଲ ହୋଇଥିଲେ, ଯାହାକି ସ୍ଥାନୀୟ ସକ୍ରିୟ ସାମାଜିକ ଅନୁଷ୍ଠାନ ବୈଶାଖୀ ପକ୍ଷରୁ ଆୟୋଜିତ କରାଯାଇଥିଲା ।