୮ରୁ ନନ୍ଦନକାନନରେ ଚାଲିବ ଟୟ ଟ୍ରେନ୍‌

ବାରଙ୍ଗ: ଦଶହରା ପାଇଁ ପର୍ଯ୍ୟଟକଙ୍କୁ ନନ୍ଦନକାନନର ଭେଟି । ବହୁ ଦିନ ଧରି ବନ୍ଦଥିବା ଟୟ ଟ୍ରେନ୍‌ ଚାଲିବ । ଦୀର୍ଘ ୧୦ ବର୍ଷ ଧରି ବନ୍ଦ ହୋଇ ପଡିଥିବା ରୋପୱେର ମଧ୍ୟ ଶୁଭ ଦିଆଯିବ । ଏନେଇ ସମସ୍ତ କାର୍ୟ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୮ ତାରିଖ ଶୁକ୍ରବାର ଏଗୁଡିକ ଉଦ୍‌ଘାଟନ ହେବ ବୋଲି ସୂଚନା ମିଳିଛି ।
ଦୀର୍ଘ ୬ ବର୍ଷ ହେବ ବନ୍ଦ ପଡିଛି ଏହି ଟୟ ଟ୍ରେନ୍‌ । ଏଣିକି କୁନି ପର୍ଯ୍ୟଟକମାନେ ପ୍ରାଣୀ ଉଦ୍ୟାନ ମଧ୍ୟରେ ଟୟ ଟ୍ରେନ୍‌ ଯୋଗେ ବୁଲିବା ସହ ଘଞ୍ଚ ଜଙ୍ଗଲ ସହିତ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଦେଖିବାର ମଜା ନେଇପାରିବେ । ମାର୍ଚ୍ଚ ମାସରୁ ରେଳଗାଡିର ଡବା ଇଞ୍ଜିନ ଆସିବା ଆରମ୍ଭ ହୋଇଥିଲା । ଏପ୍ରିଲ ମାସ ସୁଦ୍ଧା ସମସ୍ତ ଡବା କାର୍ଯ୍ୟ ସମାପ୍ତ ହୋଇ ରେଳ ଲାଇନ୍‌ରେ ପରୀକ୍ଷଣ କରାଯାଇଥିଲା । କିଛି ଯାନ୍ତ୍ରିକ ତ୍ରୁଟି ଗୁଡିକୁ ସୁଧାରିବା ପରେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହୋଇଛି । ଇଞ୍ଜିନ, ଡ୍ରାଇଭର ଡବା ସହିତ ଆଉ ଚାରୋଟି ଡବାକୁ ନେଇ ଶିଶୁ ରେଳଗାଡି ପର୍ଯ୍ୟଟକଙ୍କୁ ବୁଲାଇବ । ଏଥିରେ ମୋଟ ୭୦ ଜଣ ପର୍ଯ୍ୟଟକ ବସିବାକୁ ଥିବା ବେଳେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତି ବସିବା ପାଇଁ ମୋଟ ୭୨ ସିଟ୍‌ ରହିଛି ।
ସୂଚନା ଯୋଗ୍ୟ ୨୦୧୬ ମସିହାରୁ ଶିଶୁ ରେଳଗାଡି ଚାଲିବା ପାଇଁ ସମସ୍ତ କାର୍ଯ୍ୟ ଆରମ୍ଭ କରାଯାଇ ଏହାର ପ୍ଲାଟଫର୍ମ ଓ ରେଳପଥର ଉନ୍ନତିକରଣ ୨୦୨୦ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଥିଲା । ୨୦୨୧ ମାର୍ଚ୍ଚ ମାସରେ ରେଳ ଡବା ଓ ଇଞ୍ଜିନ ଆସିବା ଆରମ୍ଭ ହୋଇଥିଲା । କରୋନା କଟକଣା ପାଇଁ ବନ୍ଦ ରହିବା ପରେ ଏବେ ଚାଲିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Comments (0)
Add Comment