ତିତିଲି ବାତ୍ୟାକୁ ପୂରିଲାଣି ୩ବର୍ଷ ହେଲେ ମୁରୁଡିକୁପୁଡ଼ା ପୋଲ ନିର୍ମାଣ ହେବ କେବେ?

ଦାରିଙ୍ଗବାଡ଼ି : ସାମୁଦ୍ରିକ ଝଡ଼ ତିତିଲି ପ୍ରଭାବରେ ଭାସି ଯାଇଥିଲା ଦାରିଙ୍ଗବାଡି ଓ ରାଇକିଆ ବ୍ଲକ ମଧ୍ୟରେ ଥିବା ମୁରୁଡିକୁପୁଡ଼ା ପୋଲ । ପୋଲ ଧୋଇଯିବା ଓ ବାତ୍ୟାକୁ ୩ବର୍ଷ ରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ସେଠାରେ ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ୨୦୧୮ ମସିହା ଅକ୍ଟୋବର ମାସରେ ହୋଇଥିବା ସାମୁହିକ ଝଡ (ବାତ୍ୟା) ତିତିଲି ପ୍ରଭାବରେ ଦାରିଙ୍ଗବାଡ଼ି ବ୍ଲକ ଓ ରାଇକିଆ ବ୍ଲକ ସୀମା ମଧ୍ୟରେ ଥିବା ମୁରୁଡ଼ିକପୂଡ଼ା ପୋଲଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା ପୋଲଟି ସମ୍ପୂର୍ଣ୍ଣ ଭାବରେ ଧୋଇ ହୋଇଯାଇଥିବାରୁ ଗୋଟିଏ ପାର୍ଶ୍ୱରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଚାଷ ଜମିରେ ପ୍ରଶାସନ ତରଫରୁ ବାଇପାସ୍‌ ରାସ୍ତା କରାଯାଇଥିଲା । ସେହିଦିନଠାରୁ ସେହି ବାଇପାସ ରାସ୍ତାରେ ଛୋଟଠାରୁ ଆରମ୍ଭ କରି ବଡ ବସ୍‌ ଆଦି ସେହି ରସ୍ତାରେ ଯାତାୟାତ କରୁଛି । ଦାରିଙ୍ଗବାଡି ଠାରୁ ଭୁବନେଶ୍ୱର, ବ୍ରହ୍ମପୁର ଆଦି ସ୍ଥାନକୁ ରାତ୍ରିକାଳୀନ ବସ ଯାତାୟାତ କରିବା ସହିତ ସେହି ରାସ୍ତା ଦେଇ ଫୁଲବାଣୀ ଏବଂ ବ୍ରହ୍ମପୁରକୁ ଅନେକ ବସ ଯାତାୟାତ କରୁଛି । ତେବେ ସାମୁଦ୍ରିକ ଝଡ଼ ବାତ୍ୟା ତିତିଲିକୁ ୩ବର୍ଷରୁ ଅଧୁକ ଦିନ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିଭାଗୟ ଅଧିକାରୀମାନେ ପୋଲ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିନଥିବା ଦେଖିବାକୁ ମିଳିଛି । ଭାଙ୍ଗି ଯାଇଥିବା ପୋଲ ଉପରେ ଦାରିଙ୍ଗବାଡ଼ି ବ୍ଲକ ସମେତ ରାଇକିଆ ବ୍ଲକର ଅନେଜ ପଞ୍ଚାୟତର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି । ପୋଲ ନିର୍ମାଣ ନହେବା ଦ୍ୱାରା ବର୍ତ୍ତମାନ ବାଇପାସ ରାସ୍ତାରେ ଅଂଚଳବାସୀମାନେ ଯିବା ଆସିବା କରୁଛନ୍ତି । ବିପଦସଙ୍କୁଳ ଅବସ୍ଥାରେ ବାଇପାସ ରାସ୍ତାଟି ରହିଥିବା ବେଳେ ବିଭିନ୍ନ ସମୟରେ ବର୍ଷା ହେଲେ ବାଇପାସ ରାସ୍ତାର କିଛି ଅଂଶ ଧୋଇ ହୋଇଗଲେ ସେଠାରେ ମାଟି ପଥର ପକାଳଦେଇ ବିଭାଗୀୟ ଅଧିକାରୀମାନେ ନିଜର କାମ ସାରିଦେଉଛନ୍ତି । ବିଭିନ୍ନ ସମୟରେ ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସେହି ବାଇପାସ ରାସ୍ତାର ଗୋଟିଏ ପାର୍ଶ୍ୱ ରାସ୍ତା ଦବି ଯାଇଥିବା ଭଳି ଘଟଣା ମଧ୍ୟ ଦେଖାଦେଇଛି । ଯାହା ଫଳରେ ସେହି ରାସ୍ତାରେ ବସ ଯିବା କଥା ଅଲଗାକଥା ବାଇକ କିମ୍ବା ଅଟୋରେ ଯିବା ମୁସ୍କିଲ ହୋଇପଡୁଛି । ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିଙ୍କ ଚାଷ ଜମିରେ ବାଇପାସ କରାଯାଇଛି, ସେହି ବ୍ୟକ୍ତି ଜଣଙ୍କୁ କୌଣସି ସହାୟତା ଦିଆଯାଇନଥିବା ବେଳେ ଚାଷ ନକରି ପାରି ଅସହାୟ ହୋଇ ପଡିଛନ୍ତି । ଏହିଭଳି ଭାବେ ପ୍ରଶାସନ ପୋଲ ନିର୍ମାଣ କରିବା ନେଇ ସମ୍ପୂର୍ଣ୍ଣ ନିଦା ବିଷ୍ଣୁ ପାଲଟି ଯାଇଛନ୍ତି । ଯାହା ଫଳରେ ସ୍ଥାନୀୟ ଲୋକମାନେ ସେହି ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ତିତିଲି ବାତ୍ୟା କ୍ଷୟକ୍ଷତି ନେଇ ପ୍ୟାକେଜ ଘୋଷଣା କରିଥିବା ବେଳେ କେବେ ଏହି ପୋଲ ନିର୍ମାଣ କରିବା ନେଇ ଘୋଷଣା କରିବେ ଏବଂ ଜିଲ୍ଲା ପ୍ରଶାସନ ସମେତ ବିଭାଗୀୟ ଅଧିକାରୀ ମାନେ କେବେ ମୁରୁଡିକୁପୁଡ଼ା ଠାରେ ନୂତନ ଭାବରେ ଏକ ପୋଲ ନିର୍ମାଣ କରିବେ ତାହାକୁ ଅନାଇ ବସିଛନ୍ତି ଦାରିଙ୍ଗବାଡ଼ି ଓ ରାଇକିଆ ବ୍ଲକ ଅଞ୍ଚଳବାସୀ ।

Comments (0)
Add Comment