ଦଶପଲ୍ଲା : – ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଏବେ ଯାତ୍ରୀଙ୍କ ପାଇଁ ପାଲଟିଯାଇଛି ଅସୁରକ୍ଷିତ ରାଜପଥ । ଏହି ଜାତୀୟ ରାଜପଥଟି ନୟାଗଡ଼ ଜିଲ୍ଲାର ମଧ୍ୟସ୍ଥଳରେ ବିଜିପୁର ଠାରୁ ନୟାଗଡ଼, ଦଶପଲ୍ଲା,ବାଣୀଗୋଛା ଦେଇ କାମିଟିପଂଗା ପର୍ଯ୍ୟନ୍ତ ବହୁ ବଣ,ପାହାଡ ଅତିକ୍ରମ କରି ପ୍ରାୟ ୮୫ କିଲୋମିଟର ରହିଛି । ପ୍ରତିଦିନ ଏହି ରାସ୍ତାର ଜାମୁସାହି ଓ କୁଲୁରୁକୁମ୍ପା ମଧ୍ୟସ୍ଥଳରେ ଥିବା ବାଣୀବିରି ଘାଟିରେ ପାହାଡ ଧସିବା, ବଡବଡ ଶାଳଗଛ ଉପୁଡି ରାସ୍ତା ଉପରେ ପଡିବା ଯୋଗୁଁ ,ଛୋଟବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହୋଇଥାଏ । ଶହଶହ ଟନ୍ ଓଜନର ବିରାଟ ବିରାଟ ପଥର, ଅତ୍ୟୁତ ପାହାଡ ଉପରୁ ଖସି ରାସ୍ତା ଉପରେ ପଡିବା ଯୋଗୁଁ ଅଧିକାଂଶ ସମୟ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଘଣ୍ଟା ଘଣ୍ଟା ଧରି ଅବରୋଧ ହେବା ଯୋଗୁଁ ଶହଶହ ଗାଡି ମଟର ଓ ପଥଚାରି ହଇରାଣ ହୋଇଥାନ୍ତି । ବିଭାଗୀୟ ଉଦାସୀନତା ଓ ନିର୍ମାଣ କାରି ଠିକା ସଂସ୍ଥାର ଉପର ଠାଉରିଆ ମନୋଭାବ ଯୋଗୁଁ ଏହି ରାସ୍ତା ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା । ତେବେ ଦେଖିବାକୁ ବାକିରହିଲା, କେବେ ସୁଧୁରୁଛି ଏ ରାସ୍ତାର ଅବସ୍ଥା ।