ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ରାସ୍ତା ଅବରୋଧ

ଫୁଲବାଣୀ:ଶୀତ ଋତୁ ଆରମ୍ଭ ଯୋଗୁଁ କନ୍ଧମାଳ ଜିଲ୍ଲାକୁ ପର୍ଯ୍ୟଟକଙ୍କର ଆଗମନ ହୋଇଥାଏ । କନ୍ଧମାଳ ଜିଲ୍ଲା ପର୍ବତ ପାହାଡ ଘେରା ଘାଟି ରାସ୍ତା ସୌନ୍ଦର୍ଯ୍ୟରେ ଭରି ରହିଛି । ସେହିପରି ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳି ସୁନ୍ଦର ଜଳ ପ୍ରପାତ ମାନ ରହିଛି । ଏହି ଜଳ ପ୍ରପାତ ଗୁଡ଼ିକ ଦେଖିବା ଏବଂ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଓ ଫୁଲବାଣୀର ଥଣ୍ଡା ପରିବେଶକୁ ଉପଭୋଗ କରିବା ନିମନ୍ତେ ପର୍ଯ୍ୟଟକଙ୍କର ଭିଡ଼ ଜମିଥାଏ । ଫୁଲବାଣୀ ବ୍ଲକ ଅନ୍ତର୍ଗତ ପୁତୁଡି ଜଳ ପ୍ରପାତ ଯିବା ନିମନ୍ତେ ରାସ୍ତା ଅବସ୍ଥା ଶୋଚନୀୟ ହୋଇରହିଛି । ଏହି ରାସ୍ତା ନିର୍ମାଣ ନିମନ୍ତେ ବାରମ୍ବାର ପ୍ରଶାସନ ନିକଟରେ ଦାବି ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ । ମୋବାଇଲ ଟାୱାର ନଥିବାରୁ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜରୁରୀ ସମୟରେ ଆମ୍ବୁଲାନ୍ସକୁ ଡକାଯାଇ ପାରୁନାହିଁ । ଏଭଳି ସମସ୍ୟାର ସମାଧାନ ନିମନ୍ତେ ଆଜି ଭାରତୀୟ ଜନତା ପାର୍ଟି କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ପୁତୁଡି ଜଳ ପ୍ରପାତ ରାସ୍ତା ନିର୍ମାଣ ଏବଂ ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ଫୁଲବାଣୀ ଠାରୁ ଗୋଛପଡା ରାସ୍ତା ଅବରୋଧ କରାଯାଇଥିଲା । ଏହି ସମସ୍ୟାର ସମାଧାନ କରିବା ନିମନ୍ତେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ନାୟକକୁ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ବେଳେ କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳ ବେହେରା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବ ନରାୟଣ ପ୍ରଧାନ, ସୁଶାନ୍ତ ମହାନ୍ତି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମିତାରଣୀ ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର ପ୍ରମୁଖ ଯୋଗ ଦେଇଥିଲେ ।

Comments (0)
Add Comment