ଭୁବନେଶ୍ୱର ରାଜ୍ୟ ସରକାର ୨୦୨୨ ମସିହା ପାଇଁ ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ । ଅବଶ୍ୟ କର୍ମଚାରୀ ଚାହିଁଲେ ଏହାଠୁ ଅଧିକ ଛୁଟି ବ୍ୟକ୍ତିଗତ ଭାବେ ନେଇପାରିବେ । ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷରେ ଛୁଟି ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି ।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୨ ମସିହା କ୍ୟାଲେଣ୍ଡର ବର୍ଷରେ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଏହି ଛୁଟି ନିର୍ଦ୍ଦେଶନାମା ଲାଗୁ ହେବ । ୨୦୨୨ କ୍ୟାଲେଣ୍ଡର ବର୍ଷରେ ୨୭ଦିନ ସରକାରୀ ଛୁଟି ଥିବାବେଳେ ଇଚ୍ଛାଧୀନ ଛୁଟି ଭାବେ ୫ଟି ଛୁଟିଦିନକୁ ଘୋଷଣା କରାଯାଇଛି । କିନ୍ତୁ ଏହି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ କେବଳ ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ଉପଯୋଗ କରିପାରିବେ । ଅର୍ଥାତ୍ ୨୮(୨୭+୧)ଟି ଛୁଟି ଜଣେ କର୍ମଚାରୀଙ୍କୁ ମିଳୁଥିବାବେଳେ ୫୨ଟି ରବିବାର ଏବଂ ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇଲେ ୨୦୨୨ ମସିହା କ୍ୟାଲେଣ୍ଡର ବର୍ଷରେ ମୋଟ ୧୦୪ଟି ଛୁଟି ମିଳିବ ।
ରାଜ୍ୟ ସରକାର ଯେଉଁ ୫ଟି ଛୁଟିଦିନକୁ ଇଚ୍ଛାକୃତ ଛୁଟି ତାଲିକାରେ ସାମିଲ କରିଛନ୍ତି ତାହା ହେଲା ଜାନୁୟାରୀ ୨୫ରେ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୧୬ରେ ଇଷ୍ଟର ଶନିବାର, ଏପ୍ରିଲ ୨୭ରେ ଶବ୍-ଇ-କ୍ୱାଦର, ନଭେମ୍ବର ୨ ଅଁଳା ନବମୀ ଓ ନଭେମ୍ବର ୧୧ ପ୍ରଥମାଷ୍ଟମୀ । ଏହି ୫ଟି ଇଚ୍ଛାକୃତ ଛୁଟି ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ଚୟନ କରିପାରିବେ ।
ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ଦିନରେ ଆଉ କେତେକ ପର୍ବପର୍ବାଣୀ ପଡୁଥିବାରୁ ସେହିଦିନ ଗୁଡିକ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା ହୋଇପାରିନି । ରବିବାର ଛୁଟିଦିନରେ ସୁବାସଚନ୍ଦ୍ର ବୋଷ ଜୟନ୍ତୀ ଜାନୁୟାରୀ ୨୩ରେ , ରାମନବମୀ ଏପ୍ରିଲ ୧୦ରେ , ଇଦ୍-ଉଲ-ଜୁହା ଜୁଲାଇ ୧୦ରେ , ମହାଳୟା ସେପ୍ଟେମ୍ବର ୨୫ରେ , ଗାନ୍ଧି ଜୟନ୍ତୀ ଅକ୍ଟୋବର ୨ରେ , ମହମ୍ମଦଙ୍କ ଜୟନ୍ତୀ ଅକ୍ଟୋବର ୯ରେ , ଖ୍ରୀଷ୍ଟମାସ ଡେ’ ଡିସେମ୍ବର ୨୫ରେ ପଡୁଥିବାରୁ ସ୍ୱତନ୍ତ୍ର ଭାବେ ଛୁଟିଦିନ ଘୋଷଣା ହୋଇନି । ସେହିପରି ଗୁରୁଗୋବିନ୍ଦ ସିଂ ଜୟନ୍ତୀ,ରାଜାରାମ ମୋହନ ରାୟ ଜୟନ୍ତୀ, ବାହୁଡା ଓ ଖ୍ରଷ୍ଟମାସ ପାଇଁ ୪ଦିନକୁ ଇଚ୍ଛାଧୀନ ଛୁଟି ଭାବେ ବିବେଚନା ହେଉଥିଲେ ମଧ୍ୟ ଏସବୁ ରବିବାର ଓ ଶନିବାର ଛୁଟିଦିନରେ ପଡୁଛି ।
ବିଜ୍ଞପ୍ତି ଅନୁସାରେ, ଯେହେତୁ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର କେତେକ ପର୍ବପର୍ବାଣୀ ଓ ଉତ୍ସବ ପାଳନ ହେଉଛି ତେଣୁ ସେହିଦିନଗୁଡିକୁ ନିର୍ଦ୍ଦିଷ୍ଟ ଭାବେ ଛୁଟି ଘୋଷଣା କରାଯାଇନାହିଁ । ସୂଚନାଯୋଗ୍ୟ, ଗତବର୍ଷ କର୍ମଚାରୀଙ୍କୁ ୧୦୬ଦିନ ସରକାରୀ ଛୁଟି ମିଳିଥିବାବେଳେ ଚଳିତଥର ୧୦୪ଦିନ ସରକାରୀ ଛୁଟି ମିଳିବ ବୋଲି ଜଣାପଡିଛି । ଏହି ଛୁଟି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ କୋର୍ଟ ପାଇଁ ଉଦ୍ଦିଷ୍ଟ ।