ଦଶପଲ୍ଲା :ଦିନକୁ ଦିନ ଦଶପଲ୍ଲା ମାଳ ଅଂଚଳରେ ଶୀତର ପ୍ରକୋପ ବୃଦ୍ଧି ପାଉଛି । ପ୍ରତିଦିନ ପାରଦ ନିମ୍ନଗାମୀ ହେଉଥିବା ବେଳେ ଥଣ୍ଡା ବୃଦ୍ଧି ପାଉଛି । ରବିବାର ଦିନ ସକାଳ ୬ ଘଟିକା ସମୟରେ ସର୍ବନିମ୍ନ ତାପମାତ୍ରା ୧୨.୫ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଶନିବାର ଦିନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଗୋଟିଏ ଦିନରେ ୨.୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇ ରବିବାର ଦିନ ୧୨.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ତାପମାତ୍ରା ଏଭଳି ନିମ୍ନଗାମୀ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜାଡ଼ ବୃଦ୍ଧି ପାଉଥିବାରୁ ଲୋକଙ୍କ ପାଇଁ ଶୀତ ଅସହ୍ୟ ହେଲାଣି । ଥଣ୍ଡାରୁ ରକ୍ଷା ପାଇବା ପାଇଁ ସକାଳୁ କିଏ ନିଆଁର ସାହାର ନେଉଛନ୍ତି ତ ଆଉ କେହି ଗରମ ପାନୀୟ ଜଳ ବ୍ୟବହାର ସହ ଶୀତବସ୍ତ୍ର ପରିଧାନ କରୁଛନ୍ତି । ଥଣ୍ଡା ବୃଦ୍ଧି ପାଇବା ଯୋଗୁଁ ଲୋକେ କାମଧନ୍ଦାକୁ ଠିକ୍ ସମୟରେ ଯାଇ ପାରୁନାହାନ୍ତି । ବୃଦ୍ଧବୃଦ୍ଧାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।