ଚାଷୀଙ୍କ ପାଇଁ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ କେବେ ?

ଫୁଲବାଣୀ :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗୁରୁପଡା ପଦାସାହିରେ ଚାଷୀଙ୍କ ସୁବିଧା ନିମନ୍ତେ ସରକାରଙ୍କ ତରଫରୁ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ଉଠା ଜଳସେଚନ ତଥା ଲିଫ୍ଟ ମାଧ୍ୟମରେ ଯୋଗାଇ ଦିଆଯାଇଛି ସତ କିନ୍ତୁ ନିର୍ମାଣ ହେବାର ଆଠ ମାସ ବିତିଯାଇଥିଲେ ସୁଦ୍ଧା ଚାଷ ଜମିରେ ପାଣି ପହଞ୍ଚି ପାରୁନାହିଁ । ୬ ଗୋଟି ଉଠା ଜଳସେଚନ ନିର୍ମାଣ ହୋଇଛି କିନ୍ତୁ ସେଠାକୁ ପାଣି ପହଞ୍ଚି ପାରୁନାହିଁ । ଫଳରେ ସେ ସବୁ ଅଞ୍ଚଳର ଚାଷୀ ଚାଷ ନିମନ୍ତେ ପାଣି ସମସ୍ୟା ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ମାଳ ମାଳ ଯୋଜନା ଦ୍ୱାରା ଚାଷୀଙ୍କ ସୁବିଧା ପାଇଁ ଉଠାଜଳସେଚନ ପ୍ରକଳ୍ପରେ ଅର୍ଥ ମଞ୍ଜୁର କରନ୍ତି ସତ କିନ୍ତୁ ଠିକାଦାର ଓ ଜଳ ଯୋଗାଣ ଯନ୍ତ୍ରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହି ଭଳି ପ୍ରକଳ୍ପ ନିର୍ମାଣ ହୋଇଥିଲେ ସୁଦ୍ଧା ଚାଷୀ ସଠିକ ଭାବେ ଫାଇଦା ଉଠାଇ ପାରୁନାହାନ୍ତି । ତେଣୁ ଅଞ୍ଚଳବାସୀ ବ୍ଳକ ପ୍ରଶାସନ, ଯନ୍ତ୍ରୀ ଓ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନି । ଫଳରେ ଅଞ୍ଚଳ ବାସୀ ନିରାଶ ହୋଇ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Comments (0)
Add Comment