କାର ଚାଳକଙ୍କ ବେପରୁଆ ଗାଡିିଚାଳନା, ସିରିଜ୍‌ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଆଜି ସକାଳେ ବୁଟୁପାଲି ନିକଟରେ ଏକ ହୁଣ୍ଡାଇ କାର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନ ଯୋଗୁଁ ଜଣେ ବୃଦ୍ଧଙ୍କ ଜୀବନ ଯିବା ସହ ଏକ ଷଣ୍ଢର ମୃତ୍ୟୁ ହୋଇଛି । ସେହିପରି ଏହି ସିରିଜ ଦୁର୍ଘଟଣାରେ ଜଣେ ଆହତ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ ଆଜି ସକାଳେ ୫ଟା ସମୟରେ ବୌଦ୍ଧରୁ ଚାରିଛକ ଆଡକୁ ଦ୍ରୁତ ଗତିରେ ଯାଉଥିବା ହୁଣ୍ଡାଇ କାର (ଓଡି ୧୧ଏଲ ୦୫୮୬) ବୁଟୁପାଲି ନିକଟରେ ଡିଙ୍ଗର ମେହେର(୬୧)କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ତାଙ୍କ ଧକ୍କା ଦେବା ପରେ ଏକ ଷଣ୍ଢକୁ କାରଟି ଧକ୍କା ଦେଇଥିଲା । ଫଳରେ ଷଣ୍ଢର ମଧ୍ୟ ମୃତ୍ୟୁ ଘଟିଛି । ସେତିକିରେ କାର ଚାଳକଙ୍କ ଚେତା ପଶିନଥିଲା । ପ୍ରାତଃ ଭ୍ରମଣରେ ଆସୁଥିବା ଅନ୍ୟ ଜଣେ ବ୍ୟକ୍ତି କମଳ ମେହେରଙ୍କୁ ମଧ୍ୟ କାରଟି ଧକ୍କା ଦେଇଥିଲା । କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ସିରିଜ୍‌ ଦୁର୍ଘଟଣା ଘଟାଇଥିବା କାରକୁ ଅଟକାଇବା ପାଇଁ ବୌଦ୍ଧ ପୁଲିସ ବିଭିନ୍ନଥାନାକୁ ଯୋଗାଯୋଗ କରୁଥିବା ଜଣାପଡିଛି ।

Comments (0)
Add Comment