ଆଜି ଅନ୍ତର୍ଜାତୀୟ ଯୋଗ ଦିବସ : ଗଛ ବଖାଣୁଛି ସୁସ୍ଥ ଜୀବନ ଓ ସୁରକ୍ଷାର ମନ୍ତ୍ର

ଭୁବନେଶ୍ୱର : ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳିତ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି ବି ଉଇଥ୍ ଯୋଗ, ବି ଆଟ ହୋମ୍ । ଅର୍ଥାତ୍ ମହାମାରୀ କରୋନାର ନିୟମ ପାଳନ କରି ପରିବାର ସହିତ ଯୋଗକୁ ଆପଣାନ୍ତୁ । ଯାହା ବିଶ୍ୱବାସୀଙ୍କ ଉଦେ୍ଦଶ୍ୟରେ ରହିଛି ଏ ବର୍ଷର ବାର୍ତ୍ତା । ଏଭଳି ସଙ୍କଟ ପରିସ୍ଥିତିରେ ଭୁବନେଶ୍ୱରସ୍ଥିତ ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକକର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ସାମ୍ପ୍ରତିକ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଏବଂ ମହାମାରୀ କରୋନାରୁ ବିଶ୍ୱବାସୀ ମୁକୁଳିବା ପାଇଁ ଜନସଚେତନତା ଉଦେ୍ଦଶ୍ୟରେ ତିଆରିଛନ୍ତି ଏକ ଯୋଗ ଟି୍ର । ଏଥିରେ ବିଭିନ୍ନ ଗଛର ପତ୍ର, ଫୁଲ ଏବଂ ରଙ୍ଗ, ବେରଙ୍ଗ ମୁରୁଜକୁ ବ୍ୟବହାର କରି ଏକ ସୁନ୍ଦର ଓ ଆକର୍ଷଣୀୟ ଯୋଗ ବୃକ୍ଷ କରି ବିଶ୍ୱବାସୀଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ବୃକ୍ଷ ମଧ୍ୟରେ ଇଂରାଜୀ ଭାଷାରେ ବାଲାନ୍ସ, ଫିଟ୍ନେସ୍, ଜଏ, ହେଲ୍ଦି, ଲାଇଫ୍, ଲଭ୍ ଇତ୍ୟାତି ଶବ୍ଦକୁ ସ୍ଥାନିତ କରି ଏକ ନିଆରା ବାର୍ତ୍ତା ଦେବା ପାଇଁ ଶ୍ରୀ ସାହୁ ପ୍ରୟାସ କରିଛନ୍ତି । ଯାହାକି ଗୋଟିଏ ବୃକ୍ଷ ସମଗ୍ର ମାନବ ଜାତିକୁ ଏକ ସୁସ୍ଥ ଜୀବନ ଓ ସୁରକ୍ଷାର ମନ୍ତ୍ର ପ୍ରଦାନ କରିଥାଏ ।
ସୁଶାନ୍ତ ଏ ସମ୍ପର୍କରେ କୁହନ୍ତି ମଣିଷ ଶରୀର ପରି ବୃକ୍ଷର ଶରୀରରେ ମଧ୍ୟ ପାଞ୍ଚ ଇନ୍ଦି୍ରୟ ଓ ଚେତନାର ଅସ୍ତିତ୍ୱ ବିଦ୍ୟମାନ । ବୃକ୍ଷମାନେ ବି ପଞ୍ଚତତ୍ତ୍ୱ ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାନ୍ତି । ବୃକ୍ଷ ହିଁ ମନୁଷ୍ୟର ଜୀବନ ଅଟେ । ଗଛ ଠାରୁ ଆମ୍ଭେମାନେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାମର୍ଥ୍ୟ, ବିପର୍ଯ୍ୟୟ ସମୟରେ ଭାଙ୍ଗି ନପଡ଼ିବା, ମନ ଓ ଇନ୍ଦି୍ରୟ ଉପରେ ନିୟନ୍ତ୍ରଣ, ପରୋପକାରିତା, ନିଃସ୍ୱାର୍ଥସେବା, ପ୍ରେମ, ଖୁସି, ନିରୋଗ, ଶାରୀରିକ ଭାରସାମ୍ୟ ଓ ସନ୍ତୁଳନ ରକ୍ଷା ସମ୍ପର୍କରେ ଶିକ୍ଷା ଲାଭ କରିଥାଉ । ଯାହାକୁ ପ୍ରାଚୀନ କାଳରେ ମୁନି, ଋଷି ଓ ଯୋଗ ସାଧକମାନେ ଉପଲବ୍ଧି କରି ଗଛକୁ ଯୋଗ ବିଦ୍ୟାରେ ଦେଇଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ । ଏଣୁ ପ୍ରତିଟି ମଣିଷ ନିୟମିତ ଯୋଗଭ୍ୟାସ ସହ ନିଜ ଚତୁଃପାଶ୍ୱର୍କୁ ସବୁଜିମା ସୃଷ୍ଟି କରିବା ନିମନ୍ତେ ସଂକଳ୍ପ ନିଅନ୍ତୁ ଯାହା ମଣିଷର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ରକ୍ଷାରେ ବେଶ୍ ସହାୟକ ହୋଇପାରିବ ସୁଶାନ୍ତ ଆଶା ପ୍ରକଟ କରିଛନ୍ତି । ସୁଶାନ୍ତଙ୍କ ଏହି ନିଆରା ପରିବେଶଧର୍ମୀ ଓ ସମୟୋପଯୋଗୀ ବାର୍ତ୍ତାକୁ ସାଧାରଣରେ ବେଶ୍ ଚର୍ଚ୍ଚା ହେବା ସହ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

Comments (0)
Add Comment