ପୁରୀ: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇଛି ବ୍ରହ୍ମଗିରି ଅଞ୍ଚଳ । ଗୋଟିଏ କି ଦୁଇଟି ନୁହେଁ ଫୁଟିଲା ୨୦ରୁ ଅଧିକ ବୋମା । ପ୍ରଚଣ୍ଡ ଶବ୍ଦରେ କମ୍ପିଲା ପୁରା ବ୍ରହ୍ମଗିରି ଅଞ୍ଚଳ ।
ସୂଚନା ଅନୁଯାୟୀ, ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଜମି ଜବରଜଖଲକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା ଓ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ବୋମାମାଡ଼ ହୋଇଥିବା ଜଣାପଡିଛି । ମୌଜାର କିଛି ଜମିକୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା । ସେନେଇ ଆଜି ୩୫ ମୌଜାର ଲୋକେ ଏକ ବୈଠକ ଡାକିଥିଲେ । କିନ୍ତୁ ଗୋଟିଏ ଗୋଷ୍ଠୀର ଲୋକେ ଏହି ବୈଠକକୁ ଆସିନଥିଲେ । ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ସେଠାରେ ଘନ ଘନ ବୋମାମାଡ ହୋଇଥିଲା । ଖବର ପାଇ ପୁରୀ ଅତିରିକ୍ତ ଏସ୍ପି, ଏସ୍ଡିପିଓ, ବ୍ରହ୍ମଗିରି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛନ୍ତି । ବୋମାମାଡ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।