ସଡକ ସୁରକ୍ଷା ସଂକ୍ରାନ୍ତୀୟ ସଂସଦୀୟ କ୍ଷେତ୍ର କମିଟି ବୈଠକ

ପୁରୀ: ସଡକ ସୁରକ୍ଷା ସଂକ୍ରାନ୍ତୀୟ ସଂସଦୀୟ କ୍ଷେତ୍ର କମିଟି ବୈଠକ ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଜାତୀୟ ରାଜପଥ ୩୧୬ର ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକ ଭାବେ ପାଳନ କରୁନଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିରୁଦ୍ଧରେ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଜାତୀୟ ରାଜପଥରେ ଥିବା ୪୩ଟି ଦୁର୍ଘଟଣା ଆଶଙ୍କା ସ୍ଥଳୀ ତଥା ବ୍ଲାକସ୍ପଟ ଓ କାଠପୋଲ ମରାମତି ନହେବା ନେଇ ଅଭିଯୋଗ ହୋଇଛି । ଏଥିସହ ରାଜପଥରେ ବେଆଇନ ଭାବେ ଥିବା ଦଖଲ ଉଚ୍ଛେଦ ଓ ସତ୍ୟବାଦୀ, ସାତଶଙ୍ଖ, ପଟ୍ଟନାୟିକା, ମାଳତୀପାଟପୁର, ବୀରହରେକୃଷ୍ଣପୁର ଛକରେ ଆଲୋକୀକରଣ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେଉଥିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ନେଇ ସାଂସଦ ବୈଠକରେ ମତ ଦେଇଥିଲେ । ଅନାବଶ୍ୟକ ଭାବେ ଥିବା ମେଡିୟାନ ଗୁଡିକୁ ହଟେଇବା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପରାମର୍ଶ ଦେଇଛନ୍ତି । ଦୁର୍ଘଟଣା ସମୟରେ ଆହତ ବ୍ୟକ୍ତିଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇ ଦେବାରେ ସହଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯିବ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପିଡି ଡିଆରଡିଏ ଜ୍ୟୋତି ଶଙ୍କର ମହାପାତ୍ର, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର ରଞ୍ଜନ ଦଳାଇ, ସିଡିଏମଓ ଡଃ ସୁଜାତା ମିଶ୍ର, ବସମାଲିକ ମହାସଂଘ ସଭାପତି ଲୋକନାଥ ପାଣି ପ୍ରମୁଖ ଉପସ୍ଥିତ ଥିବା ବେଳେ ମୋଟରଯାନ ନିରୀକ୍ଷକ ଶୁଭେନ୍ଦୁ ରଞ୍ଜନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment