ମେଗା ଓମଫେଡ ଡାଏରୀ ପ୍ଲାଣ୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଆଜି ଉଦଘାଟିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ । କଟକ ବାରଙ୍ଗ ବ୍ଲକ ଅରିଲୋ ଠାରେ ୩୦୦ କୋଟି ଟଙ୍କାର ଏହି ଅତ୍ୟାଧୁନିକ ସମ୍ପୂର୍ଣ୍ଣ ଅଟୋମଟିକ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସର୍ବବୃହତ ଓମଫେଡ ଡାଏରୀ ପ୍ଲାଣ୍ଟ କଟକ ନରାଜ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ନିକଟ ଅରିଲୋ ଠାରେ ନିର୍ମିତ ହୋଇଛି । ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଓ ସମ୍ପୂର୍ଣ୍ଣ ଅଟୋମେଟିକ ପ୍ଲାଣ୍ଟ ରାଜ୍ୟରେ ପ୍ରଥମ । ଏହି ମେଗା ପ୍ରକଳ୍ପଟି କେବଳ କଟକ ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଏକ ବଡ ଅବଦାନ ହୋଇପାରିବ । ଡାଏରୀ ପ୍ଲାଣ୍ଟ ମାଧ୍ୟମରେ ଓମଫେଡ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରିପାରିବ । ଏହାଛଡା ଦିନକୁ ୨ ଲକ୍ଷ ଲିଟର କ୍ଷୀରରୁ ଦୁଗ୍ଧ ପାଉଡର ପ୍ରସ୍ତୁତ କରାଯାଇ ପାରିବ ।ଏଥିସହିତ ବିଭିନ୍ନ ପ୍ରକାର ଦୁଗ୍ଧଜାତ ଉତ୍ପାଦ ଯଥା ଘିଅ, ଦହି, ଲସି ଓ ପନିର ଭଳି ସାମଗ୍ରୀ ପ୍ରସ୍ତୁତ କରାଯିବାର ବ୍ୟବସ୍ଥା ହୋଇଛି । ଯାହା ଉଭୟ ଗ୍ରାହକ ଓ ଦୁଗ୍ଧ ଚାଷୀଙ୍କ ପାଇଁ ନିଶ୍ଚୟ ଏକ ଖୁସିର ଖବର । ବନ୍ୟା, ବାତ୍ୟା ଓ ମହାମାରୀ ଭଳି ସମୟରେ ମଧ୍ୟ ଆଉ ଦୁଗ୍ଧ ବ୍ୟବସାୟୀଙ୍କୁ ହଇରାଣ ହେବାକୁ ପଡିବ ନାହିଁ କିମ୍ବା ମାର୍କେଟରେ କ୍ଷୀର ବିକ୍ରି କରି ନ ପାରିବା ଭଳି ଅସୁବିଧା ସୃଷ୍ଟି ହେବ ନାହିଁ । ରାଜ୍ୟର ସମସ୍ତ ଦୁଗ୍ଧ ଚାଷୀ ଏହି ମେଗା ପ୍ଲାଣ୍ଟ ଦ୍ବାରା ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ଆଗକୁ ଏହି ପ୍ଲାଣ୍ଟର କ୍ଷମତା ୧୦ ଲକ୍ଷ ଲିଟରକୁ ବଢ଼ାଯିବା ସହ ଏଠାରେ ଏକ ଟ୍ରେନିଂ ସେଣ୍ଟର ଓ ରିସର୍ଚ୍ଚ ଭଳି କାର୍ୟ୍ୟକ୍ରମ କରାଯିବାର ଯୋଜନା ରହିଛି ।

Comments (0)
Add Comment