ଭୁବନେଶ୍ୱର: ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ଏକାମ୍ର ଭବନ ଠାରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ସଭାର ଉଦ୍ଦେଶ୍ୟ ଓ ଲାଗିରହିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ଯଥା ଏନପିଏସ କର୍ତ୍ତନ, ୬ ମାସର ବକେୟା ଦରମା ଓ ନିୟମିତରୁ ବଞ୍ଚିତ ଗଣଶିକ୍ଷକଙ୍କ ନିୟମିତ ହେବା । ଓଟିଇଟିର ସମୟ ସୀମା ବୃଦ୍ଧି ପାଇଁ ଦିଲ୍ଲୀ ଗସ୍ତ କରିଥିବା ୮ ଜଣିଆ ପ୍ରତିନିଧି ଦଳ କେନ୍ଦ୍ର ସରକାରଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହିସବୁ କାର୍ଯ୍ୟକୁ ମହାସଂଘ କିପରି ତ୍ୱରାନ୍ୱିତ କରି ୨୨ ହଜାର ପରିବାର ମୁହଁରେ ହସ ଫୁଟାଇବ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ମତ ରଖିଥିଲେ । ଏହା ସହିତ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଏନପିଏସ ପାଇଁ ନଭେମ୍ବର ୧୫ ସୁଦ୍ଧା ତାଲିମ ଓ ନଭେମ୍ବର ମାସ ଦରମାରୁ କର୍ତ୍ତନ ହେବାର ଦୃଢ଼ ପ୍ରତିଶୃତି ସରକାରଙ୍କଠାରୁ ମିଳିଥିବା ସୂଚନା ମହାସଂଘରେ ଆଲୋଚନା ହୋଇଥିଲା । ଏତତ ବ୍ୟତିତ ମୃତ ଏକ୍ସକ୍ୟାଡ଼ର ଶିକ୍ଷକ ପରିବାରରୁ ଥଇଥାନ ନୀତିରେ ଚାକିରୀର ନିର୍ଦ୍ଦେଶନାମା କିପରି ଶୀଘ୍ର ପ୍ରକାଶ ପାଇବ ତାହା ମହାସଂଘ ଜଣାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ, ଉପସଭାପତି ସୁରେନ୍ଦ୍ର ମଳିକ, ବିଶ୍ୱରଞ୍ଜନ ଦାସ, ପ୍ରମୋଦ ବେହେରା, ଉମେଶ ଭୋଇ, ରାଜକିଶୋର ପ୍ରଧାନ, ଉମେଶ ସ୍ୱାଇଁ , ସୁଦର୍ଶନ ବରାଳ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଜିତେନ ପାଣି ସହ ୩୦ଟି ଜିଲାର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ଶେଷରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ ।