ସଂକଟରେ ବେତ୍ରା ସଂପ୍ରଦାୟ, ଲୋପପାଉଛି କୌଳିକ ବୃତ୍ତି

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ବାଉଁଶ ତିଆରି ସରଞ୍ଜାମ ଗୁଡିକର ଚାହିଦା ଆଗରୁ ଢେର ଅଧିକ ଥିଲା । କିନ୍ତୁ ଏବେ କେବଳ ବିବାହ, ବ୍ରତ ଓ ଗୃହପ୍ରବେଶ ଆଦି ମାଙ୍ଗଳିକ କାର୍ଯ୍ୟ ପାଇଁ ହିଁ ଲୋଡା ପଡୁଛି । ଦିନକୁ ଦିନ ଏହାର ଚାହିଦା ବଜାରରେ କମି କମି ଯାଉଥିବାରୁ ବାଉଁଶ ଶିଳ୍ପରେ ନିୟୋଜିତ ବେତ୍ରା ସଂପ୍ରଦାୟର ଲୋକ ଏବେ ନିଜ କୌଳିକ ବୃତ୍ତିକୁ ହରେଇବାକୁ ବସିଲେଣି । ବଜାର ସମସ୍ୟା ସହ କଞ୍ଚମାଲର ଅଭାବ ସେମାନଙ୍କ ବୃତ୍ତି ଛାଡିବାକୁ ବାଧ୍ୟ କରୁଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା, ଧଳପୁର, ତିଳେଶ୍ୱର, ଖଜୁରୀପଡା, ସାହାଜପାଲ, ମୁଣ୍ଡିପଦର, ବମ୍ପର, ବାଉଁଶୁଣୀ, ବଘିଆପଡା, ଦପଲା, ମନମୁଣ୍ଡା ଆଦି ଗ୍ରାମ ଗୁଡିକରେ ବାଉଁଶ କାରିଗରଙ୍କୁ ସରକାରଙ୍କ ପକ୍ଷରୁ କଞ୍ଚାମାଲ ଯୋଗାଇ ଦିଆଯାଉନଥିବାରୁ ବେଉସା ବୁଡିବାକୁ ବସିଛି । ଏଣେ ଜଙ୍ଗଲରୁ ବାଉଁଶ ଆଣିଲେ ବନବିଭାଗର ନାଲି ଆଖିର ଡର ରହିଛି ।

ପୁଣି ଜଙ୍ଗଲରେ ହେଉଥିବା ବାଉଁଶର ଗଜାକୁ ବେପାରୀ ତାଡି ନେଉଛନ୍ତି ଏବଂ ଏହାର କରଡ କରି କିଲୋପ୍ରତି ୪୦ଟଙ୍କା ଦରରେ ବିକ୍ରୀ କରୁଛନ୍ତି । ଶହଶହ ସଂଖ୍ୟାରେ ବେପାରୀମାନେ ଜଙ୍ଗଲରୁ ଅବାଧରେ ବାଉଁଶ ଗଜା କାଟି ନେଉଛନ୍ତି । ଫଳରେ ବାଉଁଶ ଗଛର ବଂଶ ବୃଦ୍ଧି ହେଉନାହିଁ । ବାଉଁଶ ସାମଗ୍ରୀ ପାଇଁ ଲୋକଙ୍କର କମିଥିବା ଆଦର ମଧ୍ୟ ମୁଖ୍ୟକାରଣ ସାଜିଛି । ସେଥିପାଇଁ ଲୋକେ ନିଜର କୂଳ ବେଉସା ଛାଡି ଦାଦନ ଖଟିବାକୁ ଚାଲିଗଲେଣି । ବିଶେଷକରି ଚଳିତବର୍ଷ ବେତ୍ରା ସଂପ୍ରଦାୟର ମହିଳାମାନେ ଏବେ ବାଉଁଶ କାମଛଡି, ଶ୍ରମିକଭାବେ ଧାନତଳି କାମ କରୁଛନ୍ତି । କରୋନା ସଂକ୍ରମଣଜନିତ ଲକଡାଉନ, ସଟଡାଉନ ଘୋଷଣା ଯୋଗୁଁ ସଂପ୍ରଦାୟର ବ୍ୟବସାୟ ସଂପୂର୍ଣ୍ଣ ଠପ୍ ହୋଇପଡିଛି । ଯାନବାହନ ଚଳାଚଳ ବନ୍ଦ ଯୋଗୁଁ ଅନ୍ୟତ୍ର ଯାଇ ଦାଦନ ଖଟିବା ମଧ୍ୟ ସମ୍ଭବପର ହୋଇପାରୁନାହିଁ । ଏଣୁ ରାଜ୍ୟ ସରକାର ଏହି ବେତ୍ରା ସଂପ୍ରଦାୟର ପରିବାରକୁ ସରକାରୀ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି । ହାଟ ବଜାରରେ ବାଉଁଶ ସାମଗ୍ରୀ ବିକ୍ରି ହେଉନଥିବାରୁ ବହୁ ଗରୀବ ବେତ୍ରା ସଂପ୍ରଦାୟର ଲୋକମାନେ ଭୋକଉପବାସରେ ରହୁଥିବା ସନ୍ତୁ ନାଏକ ଅଭିଯୋଗ କରିଛନ୍ତି ।

Comments (0)
Add Comment