ଦାରିଙ୍ଗବାଡି :୨୦ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଜିଆରଏସ (ଗ୍ରାମ ରୋଜଗାର ସେବକ)ଦିଲୀପ କୁମାର ସାହୁ । ସୂଚନା ପ୍ରକାରେ ଦାରିଙ୍ଗବାଡି ଗ୍ରାମର ଦିଲୀପ କୁମାର ସାହୁ ସିମନବାଡି ପଞ୍ଚାୟତରେ କାର୍ଯ୍ୟାଳୟରେ ଜିଆରଏସ ଭାବେ କାର୍ଯ୍ୟରତ ଥିଲେ । ସିମନବାଡି ପଞ୍ଚାୟତ ଲାଦାମାଲା ଗ୍ରାମର ରଞ୍ଜନ ଦିଗାଲ ନାମକ ବ୍ୟକ୍ତିଙ୍କୁ ମନରେଗା ଯୋଜନାରେ ୧ଲକ୍ଷ ୬୦ହଜାର ଟଙ୍କା ବ୍ୟୟରେ ଏକ କୂଅ ନିର୍ମାଣ କରିବାକୁ ମଞ୍ଜୁରୀ ମିଳିଥିଲା । ପ୍ରଥମ କିସ୍ତିରେ ୭୨ହଜାର ଟଙ୍କା ବିଲ ମଞ୍ଜୁରୀ ହୋଇଥିବା ବେଳେ ବଳକା ବିଲ ହେବାକୁ ଥିବା ୮୮ହଜାର ଟଙ୍କା ଥିଲା । ୮୮ହଜାର ଟଙ୍କାର ଫାଇନାଲ ବିଲ ପାସ କରିଦେବା ପାଇଁ ଜିଆରଏସ ଦିଲୀପ ହିତାଧିକାରୀ ରଞ୍ଜନ ଦିଗାଲଙ୍କ ଠାରୁ ୨୦ହଜାର ଟଙ୍କାଟଙ୍କା ଲାଞ୍ଚ ଦାବି କରିଥିଲେ । ଏହାକୁ ନେଇ ରଞ୍ଜନ ଦିଗାଲ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଭିଜିଲାନ୍ସ ଏସପି ଜିଆରଏସଙ୍କୁ ଟ୍ରାପ କରିବାକୁ ନିର୍ଦ୍ଦେଶ ଦେବା ପରେ ଯୋଜନା ମୁତାବକ ଆଜି ଅପରାହ୍ନ ୧ ଟା ସମୟରେ ଜିଆରଏସ ଦିଲିପ ସାହୁ ରଞ୍ଜନ ଦିଗାଲଠାରୁ ୨୦ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ପରେ ପରେ ସେଠାରେ ପୂର୍ବରୁ ଛପି ରହିଥିବା ଫୁଲବାଣୀ ଭିଜିଲାନ୍ସ ଅଧିକାରୀମାନେ ଧରିବା ସହ ଲାଞ୍ଚ ନେଇଥିବା ଟଙ୍କା ଜବତ କରିଥିଲେ । ଦିଲ୍ଲୀପ ସାହୁଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଭିଜିଲାନ୍ସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।