ସୁବର୍ଣ୍ଣପୁର : ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ମାଧବ କୁମ୍ଭାରଙ୍କ ନେତୃତ୍ୱରେ ସ୍ଥାନୀୟ ପୌରପରିଷଦ ଅଞ୍ଚଳ ଅନ୍ତର୍ଗତ ୱାର୍ଡ଼ ନଂ୧୧ ମହିଳା ଅଧିବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କୁ ଘରବାଡି ପାଇଁ ଜାଗା ମିଶନ ଅଧିନରେ ସାମିଲ କରି ଘରଡିହର ଅଧିକାର ତଥା ଆବାସ ଯୋଜନା (ସହରୀ)ରେ ଗୃହ ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କଠାରେ ଦାବି କରିଛନ୍ତି । ସେମାନେ ରହୁଥିବା ବନ୍ଧପଡାରେ ସେମାନେ କେତେ ପୁରୁଷ ଧରି ରହୁଥିଲେ ହେଁ ତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରାଯାଇ ସେମାନଙ୍କୁ ସରକାରଙ୍କ ଜାଗା ମିଶନରୁ ବଂଚିତ କରାଯାଇଛି । ଏପରିକି ସେମାନଙ୍କୁ ସ୍ୱଚ୍ଛ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯାଇପାରିନାହିଁ । ସେମାନେ ମେହେନ୍ତର ଭାବରେ ସହରବାସୀଙ୍କ ସ୍ୱଚ୍ଛତା ପାଇଁ ଅନବରତ ସେବାଯୋଗାଇ ଆସିଥିଲେ ହେଁ ସେମାନଙ୍କୁ ମୌଳିକ ସୁବିଧାରୁ ବଂଚିତ କରାଯାଇଛି ବୋଲି ଅତ୍ୟନ୍ତ କ୍ଷୋଭର ସହ ସେମାନେ ଦାୟିତ୍ୱରେ ଥିବା ଜିଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କଠାରେ ନିଜର ଆପତ୍ତି ଜଣାଇଥିଲେ । ଜିଲ୍ଲାପାଳ ମଧ୍ୟ ସେମାନଙ୍କ ଅଭିଯୋଗ ସହୃଦୟତା ପୂର୍ବକ ଅନୁଧ୍ୟାନ କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପ୍ରତିଶ୍ରୁତି ଦେବାପରେ ଉପସ୍ଥିତ ମହିଳାମାନେ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ପରେ ସେମାନେ ଉକ୍ତ ଦରଖାସ୍ତର ଏକକିତା ନକଲ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଏଥିରେ ଗାୟତ୍ରୀ ବେହେରା, କସ୍ତୁରୀ ସିନ୍ଧ୍ରିଆ,ମହେଶ୍ୱର ଚଷା, ଗିତାଞ୍ଜଳି ତାଣ୍ଡୀ, ବନିତା ତାଣ୍ଡିଆ, ବନିତା ବେହେରା, କନକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।