ନୂଆଦିଲ୍ଲୀ : ସେପ୍ଟେମ୍ବର ୧୯ ରୁ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୧) ର ଦ୍ୱିତୀୟ ପର୍ଯ୍ୟାୟରେ ଭାରତର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଖେଳିପାରିବେନି । ଇଂଲଣ୍ଡ ଗସ୍ତ ସମୟରେ ତାଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ ଏପର୍ଯ୍ୟନ୍ତ ଭଲ ହୋଇନାହିଁ । ସେ ଜାତୀୟ କ୍ରିକେଟ୍ ଏକାଡେମୀରେ ଫିଟନେସ୍ ପରୀକ୍ଷା ଦେଇ ବିଫଳ ହୋଇଥିଲେ । ଆଇପିଏଲରେ ୱାଶିଂଟନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳନ୍ତି । ସେ ଭାରତୀୟ ଦଳ ସହିତ ଇଂଲଣ୍ଡ ଗସ୍ତରେ ଯାଇଥିଲେ । ଅଭ୍ୟାସ ମ୍ୟାଚ ଖେଳିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ପରେ ଇଂଲଣ୍ଡ ଗସ୍ତରୁ ବାଦ ପଡି ଘରକୁ ଫେରିଥିଲେ । ୨୧ ବର୍ଷୀୟ ଅଫ୍ ସ୍ପିନର ତଥା ଉପଯୋଗୀ ବ୍ୟାଟ୍ସମ୍ୟାନ୍ କାଉଣ୍ଟି ଦଳ ପାଇଁ ଖେଳିଥିଲେ ଏବଂ ଭାରତୀୟ ପେସର୍ ମହମ୍ମଦ ସିରାଜଙ୍କ ଦ୍ୱାରା ଆହତ ହୋଇଥିଲେ ।
ଆରସିବି ଏକ ବିବୃତ୍ତିରେ କହିଛି ଯେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଆଙ୍ଗୁଠିରେ ଆଘାତ ହେତୁ ବାକି ଆଇପିଏଲ୍ ୨୦୨୧ରେ ଖେଳିପାରିବେ ନାହିଁ । ତାଙ୍କ ସ୍ଥାନରେ ବେଙ୍ଗଲ କ୍ରିକେଟର ଆକାଶ ଦୀପଙ୍କୁ ଆରସିବି ଦଳରେ ସାମିଲ କରାଯାଇଛି । ଏକ ସୂତ୍ରରୁ ଜଣାପଡିଛିଯେ କିଛି ଦିନ ପୂର୍ବରୁ ବେଙ୍ଗାଲୁରୁର ଏନସିଏରେ ୱାଶିଂଟନ୍ ଏକ ଫିଟନେସ୍ ଟେଷ୍ଟରେ ଭାଗ ନେଇଥିଲା କିନ୍ତୁ ବିଫଳ ହୋଇଥିଲା । ଏହି କାରଣରୁ, ଟି -୨୦ ବିଶ୍ୱକପରେ ଖେଳିବା ମଧ୍ୟ ସନ୍ଦେହଜନକ, ଯାହା ଆଇପିଏଲ ପରେ ତୁରନ୍ତ ଖେଳାଯିବ ।