ସମ୍ବଲପୁର : ଅଦିନିଆ ବର୍ଷା ଓ ବାତ୍ୟା ୟାସ ଯୋଗୁଁ ଜିଲ୍ଲା ର ଚାଷିକୂଳ ଅନେକ ସମସ୍ୟା ର ସମ୍ମୁଖୀନ ହେଇଛନ୍ତି । ଆଗରୁ ବି ଚାଷୀ ପଞ୍ଜିକରଣ, ଟୋକନ ପ୍ରଦାନର ଅବ୍ୟବସ୍ଥା କୁ ନେଇ ସମସ୍ୟା ଘେରରେ ରହିଥିବା ଚାଷୀକୂଳ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟ ପରେ ଚିନ୍ତିତ, ମର୍ମାହତ ।
ଏଭଳି ଅନେକ ସମସ୍ୟା ର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଗତ ବର୍ଷ ରାଜ୍ୟ ସରକାରଙ୍କର ଭୁଲ ଟୋକନ ନୀତି ଓ ଧାନ କିଣା ର ଅବ୍ୟବସ୍ଥା ପାଇଁ ହଜାର ହଜାର ଚାଷୀଙ୍କର ଲକ୍ଷଲକ୍ଷ କ୍ୱିଣ୍ଟାଲ ଧାନ ବିକ୍ରି ହୋଇ ପାରି ନଥିଲା । ଯେଉଁଥି ପାଇଁ ରାଜ୍ୟର ଚାଷୀକୂଳ ଆର୍ଥିକ କ୍ଷତି ସହି ମାନସିକ ଚାପଗ୍ରସ୍ତ ହୋଇ କାଳାତିପାତ କରିବା ସଙ୍ଗେ ସଙ୍ଗେ ଚଳିତ ରବି ଚାଷ ଆରମ୍ଭ କରିଥିଲେ କିଛି କ୍ଷତିଭରଣ ଆଶା ନେଇ । କିନ୍ତୁ, ଚଳିତ ରବି ଚାଷ ରେ ବି ଉଭୟ ପ୍ରକୃତି ର ତାଣ୍ଡବଲୀଳା ଓ ସରକାରଙ୍କର ଦମନଲୀଳା ପରିଦୃଶ୍ୟମାନ ହେଲାଣି । ଚଳିତ ରବି ଚାଷ ରେ ଚାଷୀ ପଞ୍ଜିକରଣର ନିୟମର ଜଟିଳତା ଓ ଘୋର ଅବ୍ୟବସ୍ଥାର ବାଟ ଫିଟି ନଥିବା ବେଳେ କିଛି ଦିନ ପୂର୍ବରୁ ଅଦିନିଆ ବର୍ଷା ଓ ବର୍ତ୍ତମାନ ର ବାତ୍ୟା ୟାସ୍ ର ତାଣ୍ଡବଲୀଳା ପୁଣି ଚାଷୀକୂଳକୁ କଲାଣି ଚିନ୍ତିତ ।
ରବି ଚାଷର ଅମଳ ସମୟରେ ପ୍ରଥମେ ଅଦିନିଆ ବର୍ଷା ଓ ବର୍ତ୍ତମାନ ବାତ୍ୟା ୟାସ୍ ର ପ୍ରଭାବ ସମ୍ବଲପୁର ଜିଲ୍ଲାରେ ମଧ୍ୟ ପଡିଛି । କରୋନା କଟକଣା ପାଇଁ ଧାନ କଟା ଲାଗି ବାହାର ଜିଲ୍ଲା ତଥା ପଡୋଶୀ ରାଜ୍ୟ ଛତିଶଗଡ଼ରୁ ଶ୍ରମିକମାନେ ଆସିପାରି ନାହାଁନ୍ତି ଏବଂ ଧାନ କଟାରେ ବିଳମ୍ବ ହେଉଛି । କିଛି ଚାଷୀ ସ୍ଥାନୀୟ ଶ୍ରମିକ ଲଗେଇ କିମ୍ବା ମେସିନରେ ଧାନ କାଟିଛନ୍ତି । ଯେଉଁମାନେ ଧାନ କାଟି ପାରି ନାହାଁନ୍ତି, ସେମାନଙ୍କ କ୍ଷେତରେ ବର୍ଷା ପାଣି ଭରି ରହିଥିବାରୁ ବର୍ତ୍ତମାନ ଧାନ କାଟିବା ସମ୍ଭବ ହେବନାହିଁ । ଏହି ସମୟରେ ଅଦିନିଆଁ ବର୍ଷା ଯୋଗୁଁ ସମସ୍ତ ଧାନ କ୍ଷେତରେ ପଡି ଯାଇଛି ଯାହା ଫଳରେ ଧାନ ଗଜା ହେବାର ସମ୍ଭାବନା ମଧ୍ୟ ରହିଛି । ବହୁ ଚାଷୀଙ୍କର ରବି ଚାଷର ଧାନ ବିକ୍ରି ପାଇଁ ଟୋକନ ଆସିଯାଇଛି କିନ୍ତୁ ଧାନ ଅମଳ ହୋଇ ପାରି ନାହିଁ ଏହା ସହିତ କିଛି ଚାଷୀଙ୍କର ଧାନ ବିକ୍ରି ପାଇଁ ସରକାରଙ୍କର ଜଟିଳ ପଞ୍ଜିକରଣ ବ୍ୟବସ୍ଥା ପାଇଁ ଟୋକନ ଆସି ନାହିଁ ଯାହା ଫଳରେ କି ଚାଷୀ ର ଚିନ୍ତା ବଢିଯାଇଛି । ଜିଲ୍ଲାର ଅନେକ ଚାଷୀ ପଞ୍ଜିକୃତ କରିଥିବା ଚାଷ ଜମିର ପରିମାଣ ଅନୁଯାୟୀ ଟୋକନ ପାଇ ନାହାଁନ୍ତି । ପଞ୍ଜିକରଣ ହୋଇଥିବା ଜମିର ପରିମାଣରୁ ବହୁତ କମ ଜମିର ଧାନ ବିକ୍ରି ପାଇଁ ଟୋକନ ମିଳିଛି । ଯେଉଁଥିପାଇଁ ଚାଷୀ ଦ୍ୱନ୍ଦରେ ପଡିଛନ୍ତି ଓ ଚାଷୀ କେତେ କ୍ୱିଣ୍ଟାଲ ଧାନ ବିକ୍ରି କରି ପାରିବେ ତାହା ସ୍ପଷ୍ଟ ରୂପେ ଜାଣି ପାରୁ ନାହାଁନ୍ତି ।
ଅଦିନିଆ ବର୍ଷା ଓ ବାତ୍ୟା ୟାସ୍ ପାଇଁ ଯେ କେବଳ ଧାନ ଚାଷୀ ପ୍ରଭାବିତ ହୋଇଛନ୍ତି କେବଳ ତାହା ନୁହେଁ ଅନ୍ୟାନ୍ୟ ଡାଲି ଜାତୀୟ ଚାଷ, ପନିପରିବା ଚାଷ କରୁଥୁବା ଚାଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି ଓ ଆର୍ଥିକ କ୍ଷତି ସହିଛନ୍ତି ।
ଏଣୁ ଉପରୋକ୍ତ ସମସ୍ତ ବିଷୟକୁ ରାଜ୍ୟ ସରକାର ଗମ୍ଭୀରତା ସହକାରେ ଚିନ୍ତା କରି ଚାଷିକୂଳର ଉନ୍ନତି ଓ ସ୍ୱାର୍ଥରକ୍ଷା ପାଇଁ ଚାଷୀର ଅମଳ ହୋଇଥିବା ଧାନ କୁ ଶୀଘ୍ର କିଣିବାର ସୁବ୍ୟବସ୍ଥା କରନ୍ତୁ । ଯେଉଁ ମାନଙ୍କର ଟୋକନ ବାତିଲ ହୋଇଛି ତାକୁ ପୁନଃ କାର୍ଯ୍ୟକ୍ଷମ କରିବା, ଧାନ କାଟି ନଥିବା ଚାଷୀଙ୍କ ଟୋକନ ଗୁଡିକର ମିଆଦି ବୃଦ୍ଧି ସହିତ ବଳକା ଚାଷୀଙ୍କୁ ଟୋକନ ପ୍ରଦାନ କରିବାର ବ୍ୟବସ୍ଥା ଗ୍ରହଣ କରନ୍ତୁ । ଯେଉଁ ଚାଷୀ ମାନେ ପଞ୍ଜିକୃତ ଜମିର ସମ୍ପୂର୍ଣ୍ଣ ଟୋକନ ପାଇ ନାହାଁନ୍ତି, ସେମାନଙ୍କୁ ପଞ୍ଜିକୃତ ଜମିର ପରିମାଣ ଅନୁଯାୟୀ ସମ୍ପୂର୍ଣ୍ଣ ଟୋକନ ପ୍ରଦାନ କରନ୍ତୁ । ଅଦିନିଆଁ ବର୍ଷା ଓ ବାତ୍ୟା ୟାସ ଯୋଗୁଁ ସମସ୍ତ ପ୍ରକାର ଚାଷୀର ଅନେକ କ୍ଷତି ହୋଇଛି, ଏହାର ପ୍ରକୃତ ଆକଳନ କରି ରିଲିଫ କୋଡ଼ ଅନୁଯାୟୀ ଚାଷୀ କୁ କ୍ଷତି ପୂରଣ ଦେବାର ବ୍ୟବସ୍ଥା କରନ୍ତୁ । ଯେଉଁ ଚାଷୀମାନେ ବୀମା ଯୋଜନା ରେ ସାମିଲ ଅଛନ୍ତି ସେମାନେ କିଭଳି ଶୀଘ୍ର ଓ ପ୍ରକୃତ ପ୍ରାପ୍ୟ ପାଇପାରିବେ ତାହାର ବ୍ୟବସ୍ଥା କରନ୍ତୁ ବୋଲି ବିଜେପି କୃଷକ ମୋର୍ଚ୍ଚା ଆପଣଙ୍କ ପାଖରେ ଦାବୀ କରୁଛି ।