ନବରଙ୍ଗପୁର ମହାବିଦ୍ୟାଳୟରେ “ଜାତୀୟ ଶିକ୍ଷା ଦିବସ’ ପାଳିତ

ନବରଙ୍ଗପୁର : ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମଦିନ ପାଳନ ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟରେ “ଜାତୀୟ ଶିକ୍ଷା ଦିବସ’ ପାଳିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ସଭାପତିତ୍ୱ କରି ଅଧକ୍ଷ ଡ଼ଃ. ବିନୋଦ ଚନ୍ଦ୍ର ନାୟକ ଶିକ୍ଷା ଓ ଶିକ୍ଷାର୍ଥୀଙ୍କ ସମ୍ପର୍କ ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ ବଡ ଲୋକ ସହ ଭଲ ଲୋକ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଆରଡ଼ିଏର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ଯୋଗଦେଇ ଗୁଣାତ୍ମକ ଶିକ୍ଷା ତଥା ଭିତ୍ତିଭୂମିର ବିକାଶରେ ସରକାରଙ୍କ ନିରନ୍ତର ଉଦ୍ୟମ ଜାରି ରହିଥିବା ସୂଚନା ଦେଇଥିଲେ । ଏହାସହ ଉଚ୍ଚମାନର ଶିକ୍ଷାଦାନ, ନୈତିକ ଶିକ୍ଷା ତଥା ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶ ସହ ଆଗାମୀ ସମୟରେ ଏକ ଉଚ୍ଚ ଶିକ୍ଷିତ ସମାଜ ତିଆରି କରିବା ପାଇଁ ଶିକ୍ଷକମାନଙ୍କୁ ଆହ୍ୱାନ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଓ ଅଧ୍ୟାପକ ମହମ୍ମଦ ଜାହାଙ୍ଗିର ବୃତ୍ତଚିତ୍ର ମାଧ୍ୟମରେ ମୌଲାନା ଆବୁଲ କଲାମ ଆଜାଦଙ୍କ ଜନ୍ମ ଇତିହାସ ତଥା କୃତିତ୍ୱ ଉପସ୍ଥାପନ କରିବା ସହ ଶିକ୍ଷା କ୍ଷେତ୍ରର ହେଉଥିବା ପରିବର୍ତ୍ତନକୁ ଉଲ୍ଲେଖ କରିଥିଲେ । ପ୍ରାଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର ସମାଜରେ ଶିକ୍ଷାର ଗୁରୁତ୍ୱ ତଥା ଶିକ୍ଷକ ମାନଙ୍କର ଦାୟିତ୍ୱ ବିଷୟରେ ସଚେତନ କରିଥିଲେ । ପ୍ରାଧ୍ୟାପକ ଅନନ୍ତ ଶତପଥି ଶ୍ରୀ କଲାମଙ୍କର ଶିକ୍ଷା କ୍ଷେତ୍ରରେ ଅବଦାନକୁ ନେଇ ଏକ ତଥ୍ୟ ସମ୍ବଳିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଏନଏସଏସର ଜିଲ୍ଳା ସଂଯୋଜକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା, ଶିକ୍ଷା ଓ ଗବେଷଣା ଉପରେ ଗୁରୁତ୍ୱ ଦେଇ ନବରଙ୍ଗପୁର ଜିଲ୍ଳାର ଶିକ୍ଷା, କଳା, ସଂସ୍କୃତି ,ପରମ୍ପରାର ଗବେଷଣା ପାଇଁ ମହାବିଦ୍ୟାଳୟରେ ଗୋଟିଏ ଜିଲ୍ଳା ସ୍ତରୀୟ ଗବେଷଣା ହବ ପ୍ରତିଷ୍ଠା କରିବା ପାଇଁ ଅତିଥିମାନଙ୍କୁ ଅନୁରୋଧ କରିଥିଲେ । ଅନ୍ୟତମ ବକ୍ତା ଭାବେ ଅଧ୍ୟାପିକା ମାନସୀ ମହାପାତ୍ର, ଭାନୁମତି ସାହୁକାର, ଅଧ୍ୟାପକ ସୁରେଶ ସାହୁ, ପ୍ରଦୀପ୍ତ ଦାଶ, ପ୍ରିୟବ୍ରତ ସାହୁ, ଘାସିରାମ ବେହେରା ଆଦି ଶିକ୍ଷା ଉପରେ ନିଜନିଜ ମତ ପ୍ରକାଶ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ଏବଂ ଅଧ୍ୟାପକ ଦିଲ୍ଲୀପ କୁମାର ହୋତା ।ପ୍ରକୃତରେ ଶିକ୍ଷାହିଁ ସମାଜର ଅଭିନ୍ନ ଅଙ୍ଗ ଏବଂ ଯୁଗେ ଯୁଗେ ମାନବ ସଭ୍ୟତାକୁ ଆଗକୁ ନେବାରେ ଶିକ୍ଷା ଅଗ୍ରଣୀ ଭୂମିକା ନେଇଛି ବୋଲି ସାମୂହିକ ମତପ୍ରକାଶ ପାଇଥିଲା ।

Comments (0)
Add Comment