ସୁବର୍ଣ୍ଣପୁର: ଚଳିତ ବର୍ଷର ଧାନବିକ୍ରୀକୁ ନେଇ ସରକାରୀ ସ୍ତରରେ ଥିବା ଅବ୍ୟବସ୍ଥା ବିରୋଧରେ ଆଜି ୧୧ଘଣ୍ଟିଆ ବିନିକା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିନିକା ସହରକୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ଧାନ ବିକ୍ରି ସମସ୍ୟାକୁ ନେଇ ଏହି ବନ୍ଦ କରାଯାଇଛି । ଚଳିତ ବର୍ଷ ଧାନ କିଣା ଆରମ୍ଭରୁ ଧାନ ବିକ୍ରିରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଚାଷୀମାନେ ତଥା କଂଗ୍ରେସ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଇଛି । ଏପରିକି ଗତ ଦୁଇ ଦିନ ହେଲା ବିନିକା ତହସିଲ କାର୍ଯ୍ୟାଳୟ ଆଗରେ ଧାନ ଗାଡି ରଖି କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଧାରଣାରେ ବସିଥିବା ବେଳେ କୌଣସି ସମାଧାନ ନ ହେବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବିନିକା ସହରକୁ ୧୧ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ବିନିକା ସହରରେ ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରାଯାଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳକୁ ବନ୍ଦ କରାଯାଇଛି । ଏପରିକି ଗାଡିମୋଟର ଚଳାଚଳକୁ ମଧ୍ୟ ସଂମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଜରୁରୀ ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।