ବୌଦ୍ଧ : ଜିଲ୍ଲାରେ ଦିନକୁ ଦିନ କରୋନାର ପ୍ରକୋପ ବୃଦ୍ଧି ପାଉଥିବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସାମାଜିକ ଦୂରତା ରକ୍ଷା ଓ ସମସ୍ତେ ମାସ୍କ ପିନ୍ଧିବାକୁ ପ୍ରଶାସନ ଯେତେ ସଚେତନ କଲେ ମଧ୍ୟ କେତେକ ଅମାନିଆ ମାନୁ ନାହାନ୍ତି । ଜିଲ୍ଲାର ବିଭିନ୍ନ ଦୈନିକ ଓ ସାପ୍ତାହିକ ହାଟ ମାନଙ୍କରେ ସାମାଜିକ ଦୂରତାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯିବା ଓ ମାସ୍କ ବ୍ୟବହାର କରୁନଥିବା ବିଶେଷ ଭାବରେ ଦେଖିବାକୁ ମିଳୁଛି ।
ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ୍ ପଂଚାୟତ ନାରୟଣନଗରରେ ପ୍ରତି ମଙ୍ଗଳବାର ବସୁଥିବା ସାପ୍ତାହିକ ହାଟ ଗୋଟିଏ ପ୍ରମୁଖ ହାଟ ଅଟେ । ପ୍ରତି ମଙ୍ଗଳବାର ଅପରାହ୍ନ ୪ ଘଣ୍ଟା ସମୟରେ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଏ ହାଟ ବସିଥାଏ । ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ,ଖୁଣ୍ଟବନ୍ଧ, ପଦ୍ମନପୁର୍ ଆଦି ଗ୍ରାମର ହଜାର ହଜାର ଖାଉଟି ଓ ଜିଲ୍ଲାର ବିଭିନ୍ନ ଅଂଚଳରୁ ବ୍ୟବସାୟୀମାନେ ଆସିଥାନ୍ତି । ଜନସାଧାରଣଙ୍କୁ ଓ ବ୍ୟବସାୟୀମାନଙ୍କୁ ବାରମ୍ବାର ଅନୁରୋଧ ସତ୍ୱେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ ମିଳିଥିଲା । ସେଥିପାଇଁ ଆଜିଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ମଙ୍ଗଳବାର ସାପ୍ତାହିକ ହାଟକୁ ଲକ୍ଷ୍ମୀପ୍ରସାଦ ସରପଞ୍ଚ ରାଜେନ୍ଦ୍ର ମେହେର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରତିଦିନ ସକାଳେ ବସୁଥିବା ନାରାୟଣନଗର ଦୈନିକ ପରିବା ବଜାରକୁ ମଧ୍ୟ ବନ୍ଦ ରଖାଯାଇଥିବା ଜଣାପଡିଛି ।