ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ତାର କାୟାବିସ୍ତାର କରି ସମଗ୍ର ଜିଲ୍ଲାକୁ କବଳିତ କରିଛି । ସେପ୍ଟେମ୍ବର ମାସ ଆରମ୍ଭରୁ ପିକ୍ ପିରିୟଡରେ କରୋନା ତା’ର ପ୍ରଭାବ ବିସ୍ତାର କରି ଜିଲ୍ଲାରେ ଏକ ଆତଙ୍କର ମାହୋଲ ସୃଷ୍ଟି କରିଛି । ଗତ ୧ ତାରିଖ ସୁଦ୍ଧା ଆକ୍ରାନ୍ତ ଙ୍କ ସଂଖ୍ୟା ୭୬୪ ଥିବାବେଳେ ମାତ୍ର ୪ ଦିନରେ ସଂଖ୍ୟା ବଢ଼ି ୧୧୦୩ ରେ ପହଞ୍ଚି ସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ସର୍ବାଧିକ ୧୧୭ଜଣ ଆକ୍ରାନ୍ତ ଚିହ୍ନଟ ହେବା ଘଟଣାରେ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସୂଚନାଯୋଗ୍ୟ ଯେ ସଦର ମହକୁମାରେ ୧ତାରିଖ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୫୩ ଥିବାବେଳେ ୫ତାରିଖ ସୁଦ୍ଧା ଉକ୍ତ ସଂଖ୍ୟା ବଢ଼ି ୧୩୩ ରେ ପହଞ୍ଚିଛି ଯାହା କି ଏଭଳି ସ୍ଥିତିରେ ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରି ଏକ ଅଚଳାବସ୍ଥା ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି । ବର୍ତ୍ତମାନ ରାଜ୍ୟ ରେ ଅନଲକ-୪ ଯୋଗୁଁ କଟକଣାରେ ଅନେକ କୋହଳ ହୋଇଥିବା କାରଣରୁ ଲୋକେ ସଂପୂର୍ଣ୍ଣ କୋଭିଡ଼ କଟକଣାକୁ ମଧ୍ୟ ଭୁଲି ଯାଇ ବଜାର ଘାଟରେ ଅଯଥାରେ ଭିଡ ଜମାଉଥିବା ଯୋଗୁଁ ଆଗକୁ ସାଂଘାତିକ ସ୍ଥିତି ଉପୁଜିପାରେ ବୋଲି ସଚେତନ ବର୍ଗ ଆଶଙ୍କା ପ୍ରକଟ କରିଛନ୍ତି ।ଏପରିକି ରାସ୍ତାରେ ଲୋକମାନେ ମଧ୍ୟ ବିନା ମାସ୍କରେ ଓ ସାମାଜିକ ଦୂରତାକୁ ଫୁ କରି ବେଖାତିରେ ଗତାଗତ କରୁଥିବା ଦେଖାଯାଉଛି । ଏକ ନିର୍ଦ୍ଦିଷ୍ଟ ସମୟରେ ପୋଲିସ ର ପେଟ୍ରୋଲିଂ ଟିମ୍ ବିଭିନ୍ନ ଛକରେ ଅମାନିଆଙ୍କଠାରୁ ତଣ୍ଡ ଆଦାୟ କରୁଥିଲେ ହେଁ ଏହାକୁ ଆଉଟିକେ କଡ଼ାକଡ଼ି କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲ ମତ ରଖିଛନ୍ତି ।