ପରିବହନ ସମୟରେ ଆନ୍ଧ୍ର ବ୍ୟାଙ୍କର ୩୫ଲକ୍ଷ ଟଙ୍କା ଲୁଟ

ସମ୍ବଲପୁର : ସମ୍ବଲପୁରରୁ ଦେବଗଡ଼ ଜିଲ୍ଲାର ଲଇମୁରା ପାଇଁ ନିଆଯାଉଥିବା ସମୟରେ ଆନ୍ଧ୍ର ବ୍ୟାଙ୍କର ପ୍ରାୟ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ନଗଦ ୬ଜଣ ଦୁର୍ବୃତ୍ତ ଲୁଟିନେଲେ । ଗତକାଲି ସୋମବାର ପ୍ରାୟ ସନ୍ଧ୍ୟା ସମୟରେ ଘଟିତ ଏହି ଲୁଟକାଣ୍ଡ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଏହି ନଗଦ ରାଶି ପରିବହନ ପାଇଁ ଲଇମୁରା ଆନ୍ଧ୍ରବ୍ୟାଙ୍କ ଶାଖା ପରିଚାଳକ ଓ ସହ ପରିଚାଳକ ଲଇମୁରାରୁ ଭଡାସୂତ୍ରରେ ଏକ ବଲେରୋ ଗାଡିରେ ଆସିଥିଲେ । ସମ୍ବଲପୁରରୁ ଏହି ନଗଦ ରାଶି ନେଇ ସେମାନେ ସ୍ଥାନୀୟ କୁଚିଣ୍ଡା ଥାନା ଅନ୍ତର୍ଗତ ଭୋଜପୁର ନିକଟସ୍ଥ ରେଙ୍ଗାଲବେଡା ବାଟ ଦେଇ ଯାଉଥିଲେ । ସେମାନେ କୁଚିଣ୍ଡା ଥାନା ସୀମାନ୍ତରେ କରଙ୍ଗାମାଲ ପାଖରେ ଏକ ନିର୍ମାଣାଧୀନ ପୋଲ ପାର ହେବା ସମୟରେ ସେଠାରେ ପୂର୍ବରୁ ଛକି ବସିଥିବା ୬ ଜଣ ଦୁର୍ବୃତ୍ତ ସେମାନଙ୍କ ଠାରୁ ଉକ୍ତ ନଗଦରାଶି ଲୁଟି ନେଇଥିଲେ ବୋଲି କୁହାଯାଇଛି । ଉକ୍ତ ସ୍ଥାନରେ ମୋବାଇଲ ସିଗନାଲ ଧରୁ ନଥିବାରୁ ସେମାନେ ଭୋଜପୁର ପାଖକୁ ଫେରିଆସି ସେଠାରୁ ପୁଲିସକୁ ଜଣାଇଥିଲେ । ଖବର ପାଇବା ମାତ୍ରେ ସେଠାକାର ଆଖପାଖ ସବୁ ବାଟ ସିଲକରି ପୁଲିସ ଉକ୍ତ ଦୁର୍ବୃତ୍ତଙ୍କ ସନ୍ଧାନ କରୁଛି । ଏହା ଏକ ପୂର୍ବକଳ୍ପିତ ଯୋଜନାବଦ୍ଧ ଡକାୟତି ଓ ଏଥିରେ ଅନୁଭବୀ ଅପରାଧୀଙ୍କ ହାତ ରହିଛି ବୋଲି ଆଶଙ୍କା କରାଯାଉଛି ।

Comments (0)
Add Comment