ଟିଟିଲାଗଡ: ଟିଟିଲାଗଡ଼ ସହର ସର୍ଗିଗୁଡ଼ାସ୍ଥିତ ଆନନ୍ଦ ଅଗ୍ରୱାଲଙ୍କ ଘର ଅଗଣାରେ ଥିବା କୂଅରୁ ଆନନ୍ଦଙ୍କ ପତ୍ନୀ ସୁମିତା ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଘରୁ ଟଙ୍କା ଓ ସୁନାଗହଣା ଲୁଟ୍ ହୋଇଥିବାରୁ ଡକାୟତମାନେ ଲୁଟ୍କରି ସୁମିତ୍ରାଙ୍କୁ ହତ୍ୟାକରି କୂଅରେ ଫିଙ୍ଗି ଦେଇଥିବା ନେଇ ଆନନ୍ଦ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ସହାୟତାରେ ଛାନଭିନ୍ ଚଳାଇଛି । ଫେରାର ଅପରାଧିମାନଙ୍କୁ ଧରିବା ଲାଗି ଜୋରସୋର ଉଦ୍ୟମ ଚାଲିଛି ।
ଆଜି ଟିଟିଲାଗଡ଼ ପୋଲିସ,ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥି ତଥା ବଲାଙ୍ଗୀରର ଫରେନସିକ ଟିମ୍ ଘରର ସିଲ୍ ଖୋଲି ତଦନ୍ତ ଆରମ୍ଭ କରିଛନ୍ତି । କୂଅ ନିକଟରୁ ଓ ଘର ଭିତରୁ ଭଙ୍ଗା ଚୁଡି ମିଳିଛି । ମହିଳାଙ୍କୁ ଘୋଷାରି ଘୋଷାରି ଆଣି କୂଅରେ ଫିଙ୍ଗିଥିବାର ଚିହ୍ନ ରହିଥିବା ଫରେନସିକ ଟିମ ଅନୁମାନ କରୁଛି । ଏମିତି କି କେତେକ ସ୍ଥାନରେ ପ୍ରମାଣ ହଟାଇବାକୁ ଚି଼ହ୍ନ ଲିଭା ଯାଇଥିବା ପ୍ରୟାସ କରାଯାଇଥିବା ସନ୍ଦେହ କରୁଛି ତଦନ୍ତକାରୀ ଟିମ୍ । ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ,ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ସନ୍ଦେହ ଅଧିକ ଘନୀଭୂତ ହେଉଛି । ପୋଲିସ ତଦନ୍ତ ଜାରି ରଖିଛି । ପୁଲିସ ଶବ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ପୋଲିସ କହିଛି ।