ପେଟ୍ରୋଲ ପମ୍ପରେ ନିଆଁ, ଭୟଙ୍କର ବିସ୍ଫୋରଣ : ୧୨ ଆହତ, ୪ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଆଜି ମଧ୍ୟାହ୍ନରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ନିଆଁ ଓ ବିସ୍ଫୋରଣ ଘଟଣାରେ ୧୨ଜଣ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଜଣ ପେଟ୍ରୋଲ ପମ୍ପର କର୍ମଚାରୀ ଓ ୨ଜଣ ସାଧାରଣ ଲୋକ । ଯେଉଁମାନେ ପେଟ୍ରୋଲ ପକାଇବାପାଇଁ ସେହି ସମୟରେ ଟାଙ୍କିରେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି । ଆହତ ମାନଙ୍କ ମଧ୍ୟରୁ ୮ଜଣଙ୍କୁ ପ୍ରଥମେ ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଗୁରୁତର ହୋଇପଡିଥିବା ୪ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟପନ୍ନା ରହିଛି । ୨ଜଣ ଗୁରୁତରଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ(ଏସସିବି)କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସଂପର୍କରେ ପେଟ୍ରୋଲ ପମ୍ପ କର୍ମଚାରୀ ଓ ସାଧାରଣ ଲୋକଙ୍କଠାରୁ ଅଗ୍ନିଶମ ବାହିନୀ ଓ ପୁଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଦୁର୍ଘଟଣାସ୍ଥଳରୁ ଆହତଙ୍କୁ ଉଦ୍ଧାର କରିବା ସହିତ ତୁରନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ଖବର ପାଇଁ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ପରେ ୬ ନମ୍ବର ହସ୍ପିଟାଲ ଓ ଓୟୁଟି ଆଡକୁ ଯାଇଥିବା ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତାକୁ ତୁରନ୍ତ ସିଲ୍ କରିବା ସହିତ ଆହତଙ୍କୁ ଚିକିତ୍ସା ପାଇଁ ପଠାଇବାକୁ ବନ୍ଦବସ୍ତ କରିଥିଲେ । ଏ ସଂପର୍କରେ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ପେଟ୍ରୋଲ ପମ୍ପରେ ତିନୋଟି ଟାଙ୍କି ରହିଛି । ପେଟ୍ରୋଲ ଓ ଡିଜେଲ ଟାଙ୍କି ଅକ୍ଷାତ ରହିଥିବା ବେଳେ ସିଏନଜି ଟାଙ୍କିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମବାହିନୀର ତ୍ୱରିତ ପଦକ୍ଷେପ ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଆମେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ଆହତମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ କହିଛୁ । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିବା ସହିତ ସମସ୍ତଙ୍କ ଆହତଙ୍କ ପାଇଁ ମାଗଣା ଚିକିତ୍ସା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାସ୍ଥଳରୁ ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ଅନୁଯାୟୀ ସବୁକିଛି ସ୍ୱାଭାବିକ ଥିଲା । ୧୨ଟା ୪୦ରୁ ଗୋଟାଏ ମଧ୍ୟରେ ହଠାତ୍ ପେଟ୍ରୋଲ ପମ୍ପ ଥରିବାକୁ ଲାଗିଲା । କିଛି ବୁଝିବା ପୂର୍ବରୁ ପେଟ୍ରୋଲ ପମ୍ପର ଗୋଟିଏ ପାଶ୍ୱର୍ରେ ଭୟଙ୍କର ବିସ୍ଫୋରଣ ହେଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପେଟ୍ରୋଲ ପମ୍ପର ଏକ କି.ମି ପରିଧି ମଧ୍ୟରେ ଭୂକଂପ ଭଳି ଝଟକାଅନୁଭୂତ ହୋଇଥିଲା । ଘଟଣାସ୍ଥଳକୁ ଆମ ପ୍ରତିନିଧି ଯାଇ ଯାହା ଦେଖିଲେ ତାହା ଅତ୍ୟନ୍ତ ଅଭାବନୀୟ ଥିଲା । ପେଟ୍ରୋଲ ପମ୍ପର ପରିସର ଓ ଏହାର ଆଖପାଖ ଅଂଚଳ ସଂପୂର୍ଣ୍ଣ ବିକ୍ଷିପ୍ତ ହୋଇ ପଡିଥିଲା । ସିଏନ୍‌ଜି ପେଟ୍ରୋଲ ପମ୍ପଟାଙ୍କି ରହିଥିବା ସ୍ଥାନରେ ଏକ ପ୍ରଚଣ୍ଡ ଗାତ ସୃଷ୍ଟି ହେବା ସହିତ ଆଖପାଖର ସମସ୍ତ ଯାନବାହାନ ଛିନଛତ୍ର କରିପକାଇଥିଲା । ଏପରିକି ନିକଟରେ ଥିବା କିଛି ଗଛଲତା ଉପୁଡି ଭୂମିରେ ଲୋଟିଥିଲା । ଯାହା ମନ ଭିତରେ ଭୟ କରିବା ଭଳି ଅନୁଭବ ହୋଇଥିଲା । ପେଟ୍ରୋଲ ପମ୍ପରେ କାହିଁକି ନିଆଁ ଲାଗିଲା ଓ କ\’ଣ ଏହାର କରାଣ ହୋଇପାରେ ଏ ସଂପର୍କରେ ତୈଳ କଂପାନୀର ଅଧିକାରୀମାନଙ୍କ ସହିତ ଆଲୋଚନା କରାଯିବ । ରାଜଧାନୀର ଅନ୍ୟ ପେଟ୍ରୋଲ ପମ୍ପ ଗୁଡିକରେ ନିରାପତ୍ତା ବ୍ୟବସ୍ଥା ସହିତ ଆନୁସଙ୍ଗିକ ନିରାପତ୍ତା ମେଜର ଗ୍ରହଣ କରାଯାଇଛି କି ନା ସେ ସଂପର୍କରେ ମଧ୍ୟ ଅନୁଧ୍ୟାନ କରାଯିବା ସହିତ ପେଟ୍ରୋଲ ପମ୍ପର ମାଲିକ ଓ କର୍ମଚାରୀଙ୍କୁ ସଚେତନ କରାଯିବ । ଏହା ସହିତ ପେଟ୍ରୋଲ ପମ୍ପରେ ଯେଉଁ କର୍ମଚାରୀମାନେ କାମ କରୁଛନ୍ତି ସେମାନଙ୍କ ଜୀବନ ବୀମା ଓ ଅନ୍ୟାନ୍ୟ ନିରାପତ୍ତା ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର କହିଥିଲେ ।

Comments (0)
Add Comment