ସୁବର୍ଣ୍ଣପୁର :ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ, ପୁଣି ୫ ଆକ୍ରାନ୍ତ

ସୋନପୁର: ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ବର୍ତ୍ତମାନ ଯେଉଁ ମାତ୍ରାରେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି ତାହା ଜିଲ୍ଲାବାସୀଙ୍କୁ ଆତଙ୍କିତ କରିଛି । ଗତକାଲି ବୀରମହାରାଜପୁର ଅଞ୍ଚଳରେ ୫ଜଣଙ୍କ ରିପୋର୍ଟ ପଜିଟିଭ ପରେ ପୁଣି ରାତିରେ ନିୟମିତ ପରୀକ୍ଷା ପାଇଁ ଯାଇଥିବା ସ୍ୱାବ ମଧ୍ୟରୁ ୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ସେଥିମଧ୍ୟରୁ ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅଞ୍ଚଳର ୨ଜଣଙ୍କ ମଧ୍ୟରୁ ଜଣେ ୨୫ବର୍ଷର ଯୁବକ ଓ ଜଣେ ୪୦ବର୍ଷୀୟା ମହିଳା ରହିଥିବା ବେଳେ ତରଭା ବ୍ଲକ ତୁଲୁଣ୍ଡା ପଞ୍ଚାୟତ ଫଲସାପଦର ଅଞ୍ଚଳର ୪୫ବର୍ଷୀୟ ଜଣେ ଯୁବକ ରହିଛନ୍ତି । କର୍ଣ୍ଣାଟକରୁ ଫେରି ସୋନପୁର ବ୍ଲକର ଖରଜୁରା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ଜଣେ ୨୮ବର୍ଷୀୟ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ସ୍ତ୍ରୀଙ୍କର ରିପୋର୍ଟ ପଜିଟିଭ ଆସିଛି । ପୂର୍ବରୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଆୟୂଷ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ସେ ଏବେ ସୁସ୍ଥ ହୋଇ ସାରିଛନ୍ତି । ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ଜିଲ୍ଲାରେ କରୋନା କଟକଣାକୁ ଆହୁରି କଡାକଡି କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାର ବିଭିନ୍ନ ସଚେତନ ମହଲରେ ଦାବି ହେଉଛି ।

Comments (0)
Add Comment