ପାରଳାଖେମୁଣ୍ଡି : ଚଳିତ ମାସର ଶେଷ ଆଡକୁ ଅର୍ଥାତ ଆସନ୍ତା ଜୁନ୍ ୨୭ ତାରିଖରୁ ସପ୍ତାହରେ ୩ଦିନ ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ , ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ପ୍ରକାରେ ଜଣାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ , ସାରା ବିଶ୍ୱ ତଥା ଭାରତ ବର୍ଷରେ କରୋନା ମହାମାରୀର ଭୟାବହତାକୁ ଦେଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୧ ମାର୍ଚ୍ଚ ମାସଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ବର୍ଷାଧିକ ସମୟ ଧରି ଲକ୍ଡାଉନ୍ ଓ ସଟ୍ଡାଉନ୍ ପ୍ରଭୃତି କରିବା ପାଇଁ ପ୍ରଶାସନ ବାଧ୍ୟ ହୋଇଥିଲେ । ଏହାଦ୍ୱାରା ପ୍ରଭାବିତ ହୋଇଥିବା ଉଭୟ ଜୀବନ-ଜୀବିକାକୁ ନେଇ ବହୁଳ ଭାବେ ବିଭିନ୍ନ ସମୟରେ ତର୍କ-ବିତର୍କ ହୋଇ ଭାରତ ତଥା ଓଡିଶାର ସମସ୍ତ ଅଞ୍ଚଳରେ କରୋନା ସଂକ୍ରମଣର ବୃଦ୍ଧି ଉପରେ ମୁକାବିଲା କରି ଏଥିରେ ରୋକ ଲଗାଇବା ପାଇଁ ବସ୍ ଓ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି । ଏହା ହେବା ଦ୍ୱାରା ବହୁ ବ୍ୟକ୍ତି ବିଶେଷ ଗମନା ଗମନର ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ଗତ ୨୦୨୦ ମସିହାରେ ଜୁଲାଇ ମାସ ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବସ୍ ଓ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ପରେ କରୋନାର ପ୍ରାଦୁର୍ଭାବ କିଛିଟା କମିଯିବା ଫଳରେ ସରକାରଙ୍କ ପକ୍ଷରୁ କୋଭିଡ୍ ନିୟମର ନିର୍ଦ୍ଦେଶାବଳୀ ପ୍ରକାରେ ବସ୍ ଓ ଟ୍ରେନ୍ ଚଳାଚଳ କରିଥିଲା ।
ଚଳିତବର୍ଷ ଦେଖା ଦେଇଥିବା କରୋନା ମହାମାରୀର ଦ୍ୱିତୀୟ ଲହରରେ ମଇ ମାସ ୫ ତାରିଖ ଠାରୁ ମଇ-୧୯ ତାରିଖ ପର୍ଯ୍ୟନ୍ତ ପ୍ରଥମ ଲକ୍ଡାଉନ୍ , ପୁଣି ମଇ ମାସ ୨୦ ତାରିଖରୁ ମଇ-୩୧ ତାରିଖ ପର୍ଯ୍ୟନ୍ତ ୨ୟ ଲକ୍ଡାଉନ୍ ଓ ଜୁନ ମାସ ୧ ତାରିଖରୁ ଜୁନ-୧୬ ତାରିଖ ପର୍ଯ୍ୟନ୍ତ ୩ୟ ଲକ୍ଡାଉନ୍ ଏବଂ ଜୁନ-୧୭ ତାରିଖ ଠାରୁ ଜୁନ-୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଛି । ଏମିତିକି , ଏହାର ପ୍ରଥମ ଲକ୍ଡାଉନ୍ ଅର୍ଥାତ ମଇ-୫ ତାରିଖ ଠାରୁ ସମସ୍ତ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।
ଏହି ପରିପ୍ରେକ୍ଷୀରେ ନୌପଡା-ଗୁଣୁପୁର ରେଳପଥ ଅନ୍ତର୍ଗତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ କାଶୀନଗର ଦେଇ ସମୁଦାୟ ୪ ଯୋଡ଼ା ଟ୍ରେନ ଯଥା:- ରାଉରକେଲା-ଗୁଣୁପୁର, ପୁରୀ-ଗୁଣୁପୁର, ବିଶାଖାପାଟଣା-ଗୁଣୁପୁର ଓ ପଲାସା-ଗୁଣୁପୁର ଟ୍ରେନ ସବୁ ଚଳାଚଳ କରୁଥିଲା ।
ମହାମାରୀ କରୋନାର କୋଭିଡ୍ ଗାଇଡ଼ ଲାଇନକୁ ଦୃଷ୍ଟିରେ ରଖି ସେହି ପ୍ରକାରେ ରେଳ ବିଭାଗ ପକ୍ଷରୁ ପ୍ରଥମେ ଗୁଣୁପୁର-ବିଶାଖାପାଟଣା ଓ ପରେ ପୁରୀ-ଗୁଣୁପୁର ଟ୍ରେନକୁ ଚଳାଚଳ କରାଇଥିଲେ । କିନ୍ତୁ ରାଉରକେଲା-ଗୁଣୁପୁର ଏବଂ ପଲାସା-ଗୁଣୁପୁର ଦୁଇ ଟ୍ରେନର ଚଳାଚଳକୁ ଗତ ବର୍ଷଠାରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।
ପରେ ଅଞ୍ଚଳବାସୀଙ୍କ ବାରମ୍ବାର ଟ୍ରେନ ଚଳାଚଳ କରାଯିବାକୁ ଦାବି କରାଯିବା ଫଳରେ ବିଳମ୍ବରେ ହେଲେ ମଧ୍ୟ ଚଳିତ ମାସର ଆସନ୍ତା(ଜୁନ)୨୭ ତାରିଖ ଠାରୁ ଏହି ନୌପଡା-ଗୁଣୁପୁର ରେଳପଥରେ ପାରଳାଖେମୁଣ୍ଡି ଦେଇ ରାଉରକେଲା-ଗୁଣୁପୁର କୋଭିଡ୍ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିବ ବୋଲି ଗତ ୨୧-୦୬-୨୦୨୧ ତାରିଖ ଦିନ ଦକ୍ଷିଣପୂର୍ବ ରେଳପଥ କୋଲକାତା ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆସନ୍ତା ଜୁନ ୨୭ ତାରିଖ ଦିନ ଚଳାଚଳ କରିବାକୁ ଥିବା ଏହି ରାଉରକେଲା-ଗୁଣୁପୁର କୋଭିଡ୍ ସ୍ପେସିଆଲ ଏକ୍ସପ୍ରେସ ଟ୍ରେନର ସମସ୍ତ ଟିକଟ ଅନଲାଇନରେ ହିଁ ମିଳିପାରିବ ।
ଏହି କୋଭିଡ୍ ସ୍ପେସିଆଲ ଟ୍ରେନ ସପ୍ତାହକୁ ୩ ଦିନ ଅର୍ଥାତ ରାଉରକେଲାରୁ (୧)-ରବିବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ସୋମବାର ମଧ୍ୟାହ୍ନରେ (୨) ରାଉରକେଲାରୁ ମଙ୍ଗଳବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ବୁଧବାର ମଧ୍ୟାହ୍ନରେ ଏବଂ (୩)-ରାଉରକେଲାରୁ ଗୁରୁବାର ରାତି ୯-୫୦ ଘଣ୍ଟାରେ ବାହାରି ଗୁଣୁପୁରରେ ଶୁକ୍ରବାର ମଧ୍ୟାହ୍ନରେ ପହଞ୍ଚିବ ।
ଏହି ଟ୍ରେନ ମୁଖ୍ୟତଃ ସପ୍ତାହକୁ ମାତ୍ର ୩ ଦିନ ଚଳାଚଳ କରିବାକୁ ଥିବା ବେଳେ ଏହା ୩ ଦିନ ଯାକ ରାଉରକେଲାରୁ ରାତି ୯-୫୦ ଘଣ୍ଟା ସମୟରେ ବାହାରି ତା ପରଦିନ ଅର୍ଥାତ ସୋମବାର ସକାଳ ୬ଟାରେ ଭୁବନେଶ୍ୱର , ସକାଳ ୮-୨୯ରେ ବ୍ରହ୍ମପୁର , ପୂର୍ବାହ୍ନ ୧୧-୫୩ରେ ପାରଳାଖେମୁଣ୍ଡି ଏବଂ ମଧ୍ୟାହ୍ନ ୧-୫୫ରେ ଗୁଣୁପୁର ଠାରେ ପହଞ୍ଚିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାଯାଇଛି ।
କରୋନା ମହାମାରୀ ସମୟରେ ଏହି ନୌପଡା-ଗୁଣୁପୁର ରେଳପଥରେ ଟ୍ରେନ ଚଳାଚଳ ବନ୍ଦ ଥିବା ବେଳେ ପୁଣି ଆସନ୍ତା ଏହି ଜୁନ-୨୭ରେ ଏହି ରେଳପଥର ରାଉରକେଲା-ଗୁଣୁପୁର ଟ୍ରେନ ଚଳାଚଳ କରିବା ଦ୍ୱାରା ଗମନାଗମନ ବିହୀନ ଏହି ଓଡିଶା-ଆନ୍ଧ୍ର ସୀମାନ୍ତ ତଥା ଆଦିବାସୀ ବହୁଳ ଗଜପତି ଓ ରାୟଗଡା ଜିଲ୍ଲାବାସୀ କିଛି ମାତ୍ରାରେ ଏହାଦ୍ୱାରା ବେଶ ଉପକୃତ ହେବେ ବୋଲି ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଛି ।