ଭୁୁବନେଶ୍ୱର : ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାସ୍ନାଲ ଆଲୁମିନିୟମ କଂପାନୀ (ନାଲ୍କୋ) ପକ୍ଷରୁ ନାଲକୋ ରିସର୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ରାମଚରିତ ମାନସ ଓ ବେଦରେ କିଭଳି ମହିଳାମାନଙ୍କୁ ଉଚ୍ଚତର ଆସନ ପ୍ରଦାନ କରାଯାଇଛି ତାହା ଉପରେ ତାଙ୍କର ପ୍ରେରଣାଦାୟୀ ଅଭିଭାଷଣ ମାଧ୍ୟମରେ ରାଜ୍ୟପାଳ ଆଲୋକପାତ କରିଥିଲେ । ବିିଭିନ୍ନ କ୍ଷେତ୍ରରେ ନିଷ୍ଠାର ସହ ଅକ୍ଳାନ୍ତ ପରିଶ୍ରମ କରି ରାଷ୍ଟ୍ରର ଅଭିବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମହିଳାମାନଙ୍କୁ ପ୍ରଶଂସା କରିଥିଲେ । ଜଣେ ବାଗ୍ମୀ ଭାବେ ପ୍ରଫେସର ଗଣେଶୀ ଲାଲ ତାଙ୍କ ଅଭିଭାଷଣରେ ତାଙ୍କର ଜ୍ଞାନର ବଳୟ ମଧ୍ୟରେ ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟ ମହିଳାଙ୍କ ବିକାଶ ସଂପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । କଂପାନୀର କର୍ମଚାରୀମାନଙ୍କୁ ପ୍ରେରଣା ଦେଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏବଂ ଲେଖିକା ଡ. ପ୍ରତିଭା ରାୟଙ୍କୁ ନାଲ୍କୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । କଂପାନୀର ସ୍ଥିତିକୁ ମଜବୁତ କରିବାରେ ଆମର ମହିଳା କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେମାନଙ୍କର ସଫଳତା ଓ ଅବଦାନକୁ ନେଇ ଆମେ ଗବର୍ତି ବୋଲି ଶ୍ରୀ ପାତ୍ର କହିଥିଲେ ।
ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଆୟୋଜିତ ମକ୍ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମରେ ସଫଳତା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ଡ. ପ୍ରତିଭା ରାୟ ଓ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପାତ୍ର ଏବଂ ଅନ୍ୟ ସଦସ୍ୟମାନଙ୍କୁ ପୁରସ୍କୃତ କରିଥିଲେ ।
ନିକଟରେ ଆୟୋଜିତ ଏକ କୁଇଜ୍ କାର୍ଯ୍ୟକ୍ରମରେ ସଫଳତା ଲାଭ କରିଥିବା ନାଲ୍କୋର ମହିଳା କର୍ମଚାରୀମାନଙ୍କୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଲ୍କୋର ନିେର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ରାଧାଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ (ପି.ଆଣ୍ଡ.ଟି) ଏବଂ (ଅର୍ଥ-ଅତିରିକ୍ତ ଦାୟିତ୍ୱ) ଶ୍ରୀ ଏମ୍ ପି ମିଶ୍ର, ନିର୍ଦ୍ଦେଶକ (ଉତ୍ପାଦନ) ଏବଂ ନିର୍ଦ୍ଦେଶକ (ବାଣିଜ୍ୟ-ଅତିରିକ୍ତ ଦାୟିତ୍ୱ) ଶ୍ରୀ ବିଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ନାଲକୋର ମହିଳା କର୍ମଚାରୀମାନଙ୍କ ସମେତ ବରିଷ୍ଠ ପଦାଧିକାରୀ ଏବଂ ନାଲକୋର ବିଭିନ୍ନ ସଂଘର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।