ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ୭୨ତମ ବନମେହାତ୍ସବ ସପ୍ତାହ ପାଳିତ ହୋଇଛି । ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଅମ୍ଳଜାନର ଉପାଦେୟତା ଉପରେ ନିଜ ବକ୍ତବ୍ୟରେ କହିଥିଲେ । କରୋନା ଆମକୁ ଅମ୍ଳଜାନର ଗୁରୁତ୍ୱ ଶିଖାଇ ଦେଇଥିବାରୁ ଅମ୍ଳଜାନ ପାଇଁ ସହରବାସୀ ପ୍ରତ୍ୟେକେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିବାକୁ ସେ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଭାବେ ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମକୁ ସମସ୍ତେ ପାଳନ କରିବା ସହ ବୃକ୍ଷରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗଦେଇ ବୃକ୍ଷରୋପଣର ଉପାଦେୟତା ବିଷୟରେ କହିଥିଲେ । ଏହି ଅବସରରେ ବନବିଭାଗ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ବ୍ରହ୍ମପୁର ବଡଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ଅଧ୍ୟକ୍ଷତାରେ ଏହି ଜିଲ୍ଲାସ୍ତରୀୟ ଉତ୍ସବ ପାଳନ ହୋଇଛି । ଏହି ଉତ୍ସବରେ ବିଜୁ ପଟ୍ଟନାୟକ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଭଂଜନଗର ଉପଖଣ୍ଡ ପାଇଁ ହଜପଲ୍ଲି ବନସୁରକ୍ଷା ସମିତି, ଛତ୍ରପୁର ଉପଖଣ୍ଡ ନିମନ୍ତେ କମାରସିଂ ବନ ସୁରକ୍ଷା ସମିତି ଏବଂ ବ୍ରହ୍ମପୁର ଉପଖଣ୍ଡ ନିମନ୍ତେ ଜିନିଗୁଡା ବନ ସୁରକ୍ଷା ସମିତିଙ୍କୁ ମୁଖ୍ୟଅତିଥି ୨୦ ହଜାର ଟଙ୍କାର ସହ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।