ସମ୍ବଲପୁର : ଶତଚେଷ୍ଟା ସତ୍ତେ୍ୱ ସ୍ଥାନୀୟ ବଡୁ ହସ୍ପିଟାଲ ଭିମସାର ସହିତ ସଂଲଗ୍ନ ବ୍ଲଡ଼ ବ୍ୟାଙ୍କରେ ଦଲାଲଙ୍କ ପ୍ରାଦୁର୍ଭାବ କମ ପଡୁନାହିଁ । ରୋଗୀର ଜୀବନ ରକ୍ଷା ପାଇଁ ତା’ର ପ୍ରିୟଜନଙ୍କ ଉତ୍କଣ୍ଠାକୁ ପାଣ୍ଠି କରି କିଛି ଖଳପ୍ରବୃତ୍ତିର ଲୋକେ ସେମାନଙ୍କୁ ଠକୁଥିବା ଅଭିଯୋଗ ମିଳିଥାଏ ।
ସେଠାରେ କେତେକ ନ୍ୟସ୍ତସ୍ୱାର୍ଥ ରକ୍ତ ଯୋଗାଇବା ନାଁ ରେ ରୋଗୀଙ୍କ ପରିଜନଙ୍କ ଠାରୁ ମୋଟା ରକମରେ ଟଙ୍କା ଆଦାୟ କରି କୌଶଳ କ୍ରମେ ଖସି ପଳାଇଥାନ୍ତି । ସମୟ ସମୟରେ ସେମାନେ ପୁଲିସ ହାତରେ ଧରା ମଧ୍ୟ ପଡୁଛନ୍ତି । ଏ ବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଗତକାଲି ଏପରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ବିରୁଦ୍ଧରେ ବୁର୍ଲା ଥାନାରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଚିହ୍ନଟ ଗରିବ ଲୁହା (୩୬), ଅଜିତ ନାଏକ (୪୦) ଓ ଶଙ୍କର ବାରିକ (୪୨) ରୂପେ କରାଯାଇଛି ତଥା ସେମାନେ ତିନି ଜଣ ଯାକ ସ୍ଥାନୀୟ ବୁର୍ଲା ନିବାସୀ ବୋଲି ଜଣା ପଡିଛି ।