ନବମ ଦିନରେ ବୁଗୁଡା କଲୋନୀ ଗ୍ରାମବାସୀଙ୍କ ଧାରଣା

ଦଶପଲ୍ଲା : ଦିନକୁ ଦିନ କଠୋର ଆଭିମୁଖ୍ୟ ଅବଲମ୍ବନ କରୁଛନ୍ତି ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ବୁଗୁଡା କଲୋନୀ ଗାଁର କ୍ଷତିଗ୍ରସ୍ତ ଆଦିବାସୀ ଆନ୍ଦୋଳନକାରୀ । ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ପ୍ରକଳ୍ପରେ ନୟାଗଡ଼ ଜିଲ୍ଲା, ଦଶପଲ୍ଲା ବ୍ଲକ୍‌ ଟାକରା ଗ୍ରାମପଞ୍ଚାୟତର ବୁଗୁଡା କଲୋନୀ ଗ୍ରାମର ଶହେ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେଉଥିବାବେଳେ, ଆଦ୍ୟାବଧି ପ୍ରଶାସନ କିମ୍ବା ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନୟାଗଡ଼ଙ୍କ ତରଫରୁ ଗ୍ରାମବାସୀଙ୍କୁ କ୍ଷତି ହେଉଥିବା ଜମିର ପରିମାଣ ଓ କ୍ଷତିପୂରଣ ବାବଦରେ ଲିଖିତ ଭାବରେ ଅବଗତ କରାନଯିବା ପ୍ରତିବାଦରେ ତା ୦୫ – ୦୪ – ୨୦୨୨ ରିଖ ଠାରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଆଜି ନବମ ଦିବସରେ ପହଞ୍ଚିଛି । ଗ୍ରାମର ଶତାଧିକ ପୁରୁଷ ଓ ମହିଳା ନିଜ ଭିଟାମାଟିର ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ଦାବିକରି ରେଳପଥ ଯାଉଥିବା ସ୍ଥାନରେ ଛାମୁଣ୍ଡିଆ କରି ବସିରହିଥିବା ବେଳେ କୌଣସି ପ୍ରଶାସନିକ ପଦାଧିକାରୀ ଧାରଣା ସ୍ଥଳରେ ପହଞ୍ଚି ନାହାଁନ୍ତି । ଆନ୍ଦୋଳନକାରୀମାନେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ,ପ୍ରଶାସନ ଯେତେ କଠୋର ପଦକ୍ଷେପ ନେଲେବି, ଆମକୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ଆମର ଏ ଗଣଧାରଣା ଜାରିରହିବ । ପ୍ରଶାସନ ଆମ କଥା ନ ଶୁଣିଲେ,ଦରକାର ପଡ଼ିଲେ ସରକାରଙ୍କ ସହିତ ରକ୍ତାକ୍ତ ସଂଘର୍ଷ କରି ପ୍ରାଣବଳି ଦେବୁ ପଛକେ, ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଧାରଣା ଓ ଲଢେଇରୁ ଓହରିବୁ ନାହିଁ । ଗତକାଲି ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ଦଶପଲ୍ଲା ଠାରେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁଙ୍କୁ ଭେଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆସନ୍ତା ୧୪ ତାରିଖ ମଧ୍ୟରେ ସେମାନଙ୍କର ଦାବୀ ପୂରଣ ନ ହୁଏ ତେବେ ଆସନ୍ତା ୧୫ ତାରିଖଠାରୁ ସେମାନେ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Comments (0)
Add Comment