ବୌଦ୍ଧ,୬/୩ – ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମରେ ବ୍ୟାପକ ମାଟି ଇଟା ଭାଟି ଗଢି ଉଠିଛି l ଇଟା ପୋଡ଼ିବା ପାଇଁ ଭାଟି ମାଲିକ ମାନେ ପ୍ରତିଦିନ ଟ୍ରକ୍ ମାନଙ୍କରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜ ନଗର ଓ ବେଲ ପାହାଡ ଅଂଚଳରୁ ଚୋରାରେ କୋଇଲା ଆଣି କାରବାର କରୁଥିବା ଜଣାପଡିଛି l ପ୍ରତିଦିନ ଗଣ୍ଡା ଗଣ୍ଡା ଟ୍ରକ୍ ବୌଦ୍ଧ ମହାନଦୀ ଓ ସୋନପୁର ତେଲନଦୀ ବ୍ରିଜ ଦେଇ ବୌଦ୍ଧ ଜିଲ୍ଲାକୁ ପ୍ରବେଶ ହେଉଥିବା ଦେଖିବାକୁ ମିଳୁଛି l କୋଇଲା ଟ୍ରକ୍ ଗୁଡିକ ଆସି ବୌଦ୍ଧ ଏଫ.ସି.ଆଇ. ଗୋଦାମ ନିକଟରେ ଥିବା ଓଜନ ଯନ୍ତ୍ରରେ ଓଜନ କରାଯାଇ ଟଂକା ଦିଆନିଆ କାରବାର ହେଉଥିବା ଅଭିଯୋଗ ହେଉଛି | ଗତକାଲି ସକାଳେ ପୁରୁଣା କଟକ ପୋଲିସ ହରଭଙ୍ଗା ବ୍ଲକ ଲୁଣିବାହାଲ ନିକଟରୁ ଗୋଟିଏ କୋଇଲା ବୋଝେଇ 10 ଚକିଆ ଟ୍ରକ୍ ଜବତ୍ କରି ଥାନାକୁ ନେଇଛି l କୋଇଲା ପରିବହନ ସମ୍ପର୍କୀତ କାଗଜ ପତ୍ର ଡ୍ରାଇଭର ଦେଖାଇ ପାରିନଥିବା ଜଣା ପଡିଛି l ଗତ ବର୍ଷ ମଧ୍ୟ ବାଉଁଶୁଣୀ ପୋଲିସ୍ ଚୋରା କୋଇଲା ଚାଲାଣ ରେ ସମ୍ପୃକ୍ତ 2 ଗୋଟି ଟ୍ରକ୍ ଜବତ୍ କରିଥିଲା ଯାହାକି ଆଜି ଯାଏଁ ପଡି ରହିଛି | ଚୋରା କୋଇଲା ଚାଲାଣକାରୀ ମାନଙ୍କ ସହ କିଛି ପୋଲିସ କର୍ମଚାରୀଙ୍କ ସଲାସୁତୁରାରେ ଏ ସବୁ କାରବାର କରୁଥିବା ଅଭିଯୋଗ ହୁଏ | ଆରକ୍ଷୀ ଅଧୀକ୍ଷକ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି |