ବାଲିଗୁଡ଼ା,୭/୪: କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଶତାଧିକ ଆଶାକର୍ମୀ । ସୂଚନା ପ୍ରକାରେ 2016 ନଭେମ୍ବର ମାସଠାରୁ 2017ଫେବୃଆରୀ ମାସ ପର୍ଯ୍ୟନ୍ତ ପାଇବାକୁ ଥିବା ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏନେଇ ତିନି ତିନି ଥର କନ୍ଧମାଳ ଜିଲ୍ଲାପାଳ ଡ଼ଃ. ବୃନ୍ଦା ଡି ଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ । ଗତ ଦୁଇ ଦିନ ତଳେ ସମୂହ ଆଶାକର୍ମୀ ମାନେ କୋଟଗଡ଼ରେ ପହଂଚି ମେଡିକାଲ ଇନଚାର୍ଜ ଡ଼ଃ. ଦେବନାଥ ଦେ ଙ୍କୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେବା ସହ ତିନି ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ କୋଟଗଡ଼ ଡାକ୍ତରଖାନା ମୁଖ୍ୟ ଫାଟକ ରେ ବୁଧବାର ଦିନ ତାଲା ପକାଇ ଧାରଣାରେ ବସିବେ ବୋଲି ଜଣାଇଥିଲେ । ଦାବି ପୂରଣ ନହେବାରୁ ଆଜି ସମୂହ ଆଶାକର୍ମୀ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଆଶାକର୍ମୀ ସଂଘ । ସେପଟେ ଆନ୍ଦୋଳନର ଦୀର୍ଘ ସମୟ ପରେ ଖବରପାଇ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଆଶାକର୍ମୀ ମାନଙ୍କୁ ବୁଝାସୁଝା କରିବା ସହ ୧ମାସ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାପରେ ଆଶାକର୍ମୀମାନେ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି ।