ବାଲିଗୁଡ଼ା,୧୧/୧: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଧୁଙ୍ଗିଆଦିଆ ଘାଟିରେ ହୁତୁହୁତୁ ହୋଇ ଜଳିଗଲା ରୁଦ୍ରକାଳୀ ନାମକ ଯାତ୍ରୀବାହୀ ଘରୋଇ ବସ୍ । ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ପାଖାପାଖି ୩୦ ଯାତ୍ରୀ । ବସ୍ ଟି ଆଜି ସକାଳୁ କଳାହାଣ୍ଡି ଜିଲ୍ଲାର ଏମ୍ ରାମପୁରରୁ ଭଞ୍ଜନଗର ଅଭିମୁଖେ ବାହାରିଥିଲା । ବାଲିଗୁଡ଼ାରୁ ୧୦କିଲୋମିଟର ଦୂରରେ ଧୁଙ୍ଗିଆଦିଆ ଘାଟି ଉଠୁଥିବା ସମୟରେ ହଠାତ୍ ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗିଯାଇଥିବା କହିଛନ୍ତି ଡ୍ରାଇଭର । ସେପଟେ ଗାଡ଼ିରେ ଥିବା ପାଖାପାଖି ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି ଏକ ବଡ଼ ଅଘଟଣରୁ, ହେଲେ କିଛି ଯାତ୍ରୀ ନିଜ ଜିନିଷପତ୍ର ଗାଡିରୁ ବହାର କରିପାରିନାହାନ୍ତି । ଯାତ୍ରୀଙ୍କ ଜିନିଷପତ୍ର ଗାଡ଼ି ସହ ଜଳି ପାଉଁଶ ଶୋଇଯାଇଥିବା ବେଳେ ଜଣେ ଯୁବତୀଙ୍କ ସାର୍ଟିଫିକେଟ, ଟଙ୍କା ଓ ମୋବାଇଲ୍ ମଧ୍ୟ ଗାଡ଼ି ଭିତରେ ଜଳି ପାଉଁଶ ହୋଇଯାଇଥିବା କହିଛନ୍ତି ଯୁବତୀ ଜଣକ । ଖବରପାଇ କ.ନୂଆଗାଁ ପୋଲିସ୍ ଓ ଅଗ୍ନୀଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମଝି ରାସ୍ତାରେ ଗାଡ଼ିଟି ଜଳି ଯାଇଥିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା ଶହଶହ ଗାଡ଼ି । ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯିବାପରେ ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ଜଳି ଯାଇଥିବା ଗାଡ଼ିକୁ ରାସ୍ତାରୁ ହଟାଯିବାପରେ ଯାତାୟାତ ସ୍ବାଭାବିକ ହୋଇଛି ।