ବୌଦ୍ଧ ,୨୦/୯- ବହୁ ବର୍ଷ ଧରି ବଉଦ ସହର ପୁରୁଣା ଜେଲ୍ ନିକଟରେ ଥିବା ଶିଳ୍ପ ତାଲିମ କେନ୍ଦ୍ର (ଆଇ.ଟି. ଆଇ.) କୁ ବୌଦ୍ଧ ଠାରୁ 15 କିଲୋମିଟର ଦୂର ବଘିଆପଡା ରାସ୍ତାର ଗୌଡଦେଇ ନିକଟକୁ ସ୍ଥାନାନ୍ତର ପାଇଁ ହେଉଥିବା ଉଦ୍ୟମକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ବିରୋଧ କରୁଛନ୍ତି | ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ଓ ଯୋଗାଯୋଗ ନ ଥିବାରୁ ଅନେକ ଛାତ୍ର ଛାତ୍ରୀ ବାଧ୍ୟ ହୋଇ ଆଇ.ଟି. ଆଇ. କରିବା ଛାଡି ଦେବେ ବୋଲି ଅଭିଯୋଗ ହୁଏ | ଆଇ.ଟି.ଆଇ. ରେ ସକାଳ 9 ଘଣ୍ଟାରୁ ଅପରାନ୍ହ 5 ଘଣ୍ଟା ଯାଏଁ ପଢା ଚାଲେ ଓ ପିଲାମାନଙ୍କ ପାଇଁ ମଧ୍ୟlନ୍ହ ଭୋଜନ ଆବଶ୍ୟକ ପଡେ | ବୌଦ୍ଧ ଆହାର କେନ୍ଦ୍ରରେ 5 ଟଙ୍କିଆ ଆହାର ଖାଇ ଅନେକ ପିଲା କାମ ଚଳାଉଥିଲେ l ଗୌଡ ଦେଇ ଗଲେ ଏ ସୁବିଧା ମିଳିବାର ଆଦୌ ସମ୍ଭାବନା ନାହିଁ l ପିଲାଏ ବାଧ୍ୟ ହୋଇ ପଢା ଛାଡିବେ ଓ ଛାତ୍ର ଛାତ୍ରୀ ସଂଖ୍ୟା ହ୍ରାସ ପାଇବ l ଏହାଦ୍ବାରା ବିଭିନ୍ନ ଟ୍ରେଡ ବନ୍ଦ ହୋଇଯିବା ସହ ଶେଷରେ ଆଇ.ଟି.ଆଇ. ମଧ୍ୟ ବନ୍ଦ ହୋଇଯିବ ବୋଲି ବୁଦ୍ଧିଜୀବି ମହଲରେ ଆଶଙ୍କା ପ୍ରକାଶ ପାଉଛି l ଫଳରେ ସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ ପ୍ରଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ନିଜ ନିଜର ଜୀବିକାକୁ ହରାଇବେ l
ଚାରି ବର୍ଷ ହେଲା ଗୌଡ ଦେଇ ଠାରେ ନବନିର୍ମିତ କୋଠା ନିର୍ମାଣ ସାରିଥିଲେ ମଧ୍ୟ ସେଥିପାଇଁ ସ୍ଥାନାନ୍ତର ହେଉନଥିଲା l ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ବଲୱନ୍ତ ସିଂ ଗୌଡଦେଇ କୁ ଆଇ.ଟି.ଆଇ. ସ୍ଥାନାନ୍ତରକୁ ମନା ମଧ୍ୟ କରିଥିଲେ | ବର୍ତ୍ତମାନ ନୂତନ ନିର୍ଦ୍ଦେଶକ ରଘୁ ଜୀ ସ୍ଥାନାନ୍ତର ପାଇଁ କହିବା ପରେ ପ୍ରିନ୍ସିପାଲ ସତ୍ୟ ଶଙ୍କର ରାଜ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡିଛି l ଫଳରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି l ଏ ସମ୍ପର୍କରେ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଦାବୀ ହେଉଛି l