ସୋନପୁର,୨୩/୮ : କୋଭିଡ଼ କଟକଣାକୁ ପାଳନ ସହ ସୁବର୍ଣ୍ଣପୁର ଗଡ଼ଜାତ ସମେତ ପଞ୍ଚରା ଅଞ୍ଚଳରେ ଅତ୍ୟନ୍ତ ଉତ୍ସାହ ଉଦ୍ଦିପନାର ସହ ନୂଆଁଖାଇ ସଂପନ୍ନ ହୋଇଛି। ଏଥିପାଇଁ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ମାଁ ସମଲେଇଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପୂର୍ବକ ଅଷ୍ଟଚଣ୍ଡୀ ଙ୍କ ପାଇଁ ପାହୁର ଭୋଗ ଉଠିଥିଲା ।ସୋନପୁର ଗଡଜାତ ର ରାଜାଙ୍କ ପ୍ରତିନିଧି ସ୍ୱରୂପ ତାଙ୍କର ବଂଶଜ ଶଶାଙ୍କ ଶେଖର ସିଂହଦେଓ ଏସମସ୍ତ କାର୍ଯ୍ୟକ୍ରମ ତୁଳାଇଥିବା ବେଳେ ଏଥିପାଇଁ ସହରର ବିଭିନ୍ନ ମନ୍ଦିର ର ପୂଜକ ତଥା ସହରର ଅନେକ ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଶ୍ରୀବତ୍ସ ମଲ୍ଲିକ, ପୁର୍ବତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ,ଗଦାଧର ବାରିକ ,ଲଡୁକିଶୋର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ମନ୍ଦିରରେ ନୂଆ ଲାଗିହେବା ପରେ ସମସ୍ତ ପରିବାର ରେ ନିଜ ନିଜର ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ସହ ସମସ୍ତେ ନୂଆଧାନରେ ପ୍ରସ୍ତୁତ କ୍ଷିରୀ ଓ ପିଠା ଖାଇ ପରସ୍ପର ଗୁରୁଜନ ମାନଙ୍କୁ ମୁଣ୍ଡିଆ ମାରି ଗୁରୁଜନଙ୍କ ଆଶିର୍ବାଦ ଭିକ୍ଷାକରିଥିଲେ । କୋଭିଡ଼ର କଟକଣା ହେତୁ ସମସ୍ତ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରକ୍ଷା କରାଯାଇଥିଲା। କଟକଣା ହେତୁ ସମସ୍ତ ବଜାରଘାଟ ରେ ବେଶି ଭିଡ ପରିଲକ୍ଷିତ ହୋଇନଥିଲା। ସମସ୍ତେ ନିଜନିଜ ଘରେ ରହି ଏ ଉତ୍ସବ କୁ ନିଜ ପରିବାର ଭିତରେ ହିଁ ସୀମିତ ରଖିଥିଲେ।