କଲିକତା ଲିଙ୍କ୍‌କୁ ନେଇ ବନ୍ଦ ହେଲା ପାରାଦ୍ୱୀପର ବୃହତ ମାଛ ବ୍ୟବସାୟ କେନ୍ଦ୍ର

ଜଗତସିଂହପୁର: ପାରାଦ୍ୱୀପର ସବୁଠୁ ବଡ଼ ମାଛ ବିକ୍ରୟ କେନ୍ଦ୍ର ବାଲିପୁଟ ଏବେ ବନ୍ଦ । ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ଲୋକ ଆସି ମାଛ କିଣି ବାହାରେ ବିକ୍ରୟ କରିଥାନ୍ତି । ଏପରିକି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ଓ ଭୁବନେଶ୍ୱର ବଜାରର ବ୍ୟବସାୟୀ ଓ ଗାଁରେ ବୁଲି ବ୍ୟବହାର କରୁଥିବା ଏହି ବାଲିପୁଟ ଉପରେ ନିର୍ଭର କରନ୍ତି । ରାତି ୩ଟାରୁ ଚଳଚଞ୍ଚଳ ହୋଇପଡେ ଏହି ବାଲିପୁଟ । କିନ୍ତୁ ଏବେ ଏହା ସଂପୂର୍ଣ୍ଣ ଖାଁଖାଁ । ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସାଧାରଣ ଖାଉଟିଙ୍କ ଉପରେ । ବଜାରରେ ଯେଉଁ ମାଛର ମୂଲ୍ୟ ୧୩୦ରୁ ୧୬୦ ଟଙ୍କା ରହୁଥିଲା, ଏବେ ତାହା ୩୫୦ରୁ ୫୫୦ ଟଙ୍କା ଦେଇ କିଣୁଛନ୍ତି ଖାଉଟି । ବର୍ତ୍ତମାନ ଲକ୍‌ଡାଉନ୍ ସମୟରେ ସାଧାରଣ ନିମ୍ନବର୍ଗର ଲୋକେ ଆର୍ଥିକ ଅନାଟନରେ ଗତି କରୁଥିବା ବେଳେ ମାଛର ଅହେତୁକ ଦରବୃଦ୍ଧି ସେମାନଙ୍କ ପାଇଁ ସୃଷ୍ଟି କରୁଛି ସମସ୍ୟା । ପାରାଦ୍ୱୀପ ବାଲିପୁଟରେ ଦୈନିକ ୧୫୦୦ରୁ ଊର୍ଦ୍ଧ୍ୱ ଡଙ୍ଗାରେ ମାଛ ଆସିଥାଏ । ଏହି ଡଙ୍ଗାଗୁଡ଼ିକରେ ୩୦ ପ୍ରତିଶତ ଲୋକ କଲିକତାରୁ ଆସି କାର୍ଯ୍ୟ କରିଥାନ୍ତି । ଏପରିକି ଏମାନେ ପ୍ରାୟତଃ ଜଳପଥ ଦେଇ ଯିବାଆସିବା କରନ୍ତି । ଏହାଛନା ଏଠାରେ ଉତ୍ପାଦିତ ମାଛର ୭୦ ଭାଗ କଲିକତା ଓ ଆନ୍ଧ୍ର ସପ୍ଲାଏ ହୋଇଥାଏ । ଏହି ରାଜ୍ୟଗୁଡ଼ିକରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥବବାରୁ ଉକ୍ତ ରାଜ୍ୟକୁ ମାଛ ସପ୍ଳାଏ ବନ୍ଦ କରାଯାଇଛି । ମୁଖ୍ୟତଃ କଲିକତା ଲିଙ୍କ୍ ଯୋଗୁଁ ଏହି ବ୍ୟବସାୟ କେନଦ୍ରକୁ ବନ୍ଦ କରିବାକୁ ବାଧ୍ୟ ହେଲୁ ବୋଲି ବାଲିପୁଟର କାର୍ତ୍ତିକେଶ୍ୱର ମତ୍ସ୍ୟ ଉତ୍ପାଦନ ସଂଘର ସଭାପତି ପ୍ରକାଶ କରିଛନ୍ତି ।

Comments (0)
Add Comment