ବୌଦ୍ଧ: କରୋନା ମହାମାରୀ ପାଇଁ ହୋଇଥିବା ଲକ୍ଡାଉନ୍ ଯୋଗୁଁ ସମସ୍ତେ କିଛି ନା କିଛି କ୍ଷତି ସହିଛନ୍ତି । ହେଲେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ନିମ୍ନ ମଧ୍ୟବିତ୍ତ ପରିବାର । ସରକାର ଲକ୍ଡାଉନ୍ ସମୟରେ ଅନେକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଖାଉଟି କାର୍ଡ଼ ପାଇଥିବା ଗରିବ ପରିବାରକୁ ୫ କେଜି ଚାଉଳ, ଏକ କେଜି ଡାଲି ଓ ଏକ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିପରି ଶ୍ରମଜୀବୀ ପରିବାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିଲେ ୧୫୦୦ ଟଙ୍କାର ସହାୟତା ମଧ୍ୟ ପାଇଛନ୍ତି । ଚାକିରିଆମାନେ ତ ଦରମା ପାଇଲେ ମାତ୍ର ନିମ୍ନ ମଧ୍ୟବିତ୍ତ ପରିବାରମାନେ ସବୁଥର ବଞ୍ଚିତ ହୋଇ ଲକ୍ଡାଉନ୍ ସମୟରେ ଘୋର ଆର୍ଥିକ ସଂକଟ ଭୋଗ କରୁଛନ୍ତି ।
ବିଶେଷ ଭାବରେ ନିମ୍ନ ମଧ୍ୟବିତ୍ତ ପରିବାରମାନେ ଛୋଟ ଧରଣର ଦୋକାନ । କୌଣସି ଘରୋଇ ସଂସ୍ଥାରେ ସ୍ୱଳ୍ପ ଦରମାର ଚାକିରି କିମ୍ବା ଋଣ ନେଇ ଆତ୍ମନିର୍ଭରଶୀଳ ହୋଇ ପରିବାର ପ୍ରତିପୋଷଣ କରିଥାନ୍ତି । କେତେକ ପରିବାର କୌଳିକ ବୃତ୍ତିକୁ ଆପଣେଇ ସେମାନଙ୍କର ସଂସାର ଚାଲିଥାଏ । ଦୁଇ ମାସରୁ ଅଧିକ ସମୟ ଲକ୍ଡାଉନ୍ର ଅବଧି ମଧ୍ୟରେ ସେମାନେ ନିଜ ନିଜର ରୋଜଗାର ହରାଇ ବସି ରହିଛନ୍ତି । ସେମାନେ ସରକାରଙ୍କ କୌଣସି ଯୋଜନାର ହିତାôଦକାରୀ ହୋଇ ନଥିବାରୁ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ବେଳେ ଲକ୍ଡାଉନ୍ ଯୋଗୁଁ ରୋଜଗାର ହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଯାହା କିଛି ଖାଦ୍ୟଶସ୍ୟ ଓ ଟଙ୍କାପଇସା ପାଖରେ ଥିଲା ଦୁଇମାସର ଲକ୍ଡାଉନରେ ସରିଯାଇଛି । ନାଁ ସେମାନେ କାହା ପାଖରେ ମୂଲ ଲାଗି ପାରୁଛନ୍ତି ନାଁ ସେମାନଙ୍କର ଧନ୍ଦାବାଡ଼ି ଆରମ୍ଭ କରିପାରୁଛନ୍ତି । ମୋଟାମୋଟି କହିବାକୁ ଗଲେ ଲକ୍ଡାଉନ୍ର ମାଡ଼ରେ ସେମାନେ ଘାଇଲା ।
ଦେଶର ପ୍ରାୟ ୨୦ରୁ ୨୫ ପ୍ରତିଶତ ଲୋକ ଏଭଳି ପରିବାରର ହୋଇଥିବାରୁ ସରକାର ଏମାନଙ୍କ ପାଇଁ କୌଣସି ପ୍ୟାକଜେର ଘୋଷଣା କରିବାକୁ ଦାବି ହେଉଛି । ଆଗାମୀ ଦିନରେ ଲକ୍ଡାଉନ୍ ଖୋଲିଲେ ମଧ୍ୟ ନିମ୍ନ ମଧ୍ୟବିତ୍ତ ପରିବାରମାନେ ଏ ଦୁଇମାସର କ୍ଷତିକୁ ଭରଣା କରି ଅଣ୍ଟା ସଳଖି ପୂର୍ବ ସ୍ଥିତିକୁ ଆସିବାକୁ ଅନ୍ତତଃ ଦୁଇ ବର୍ଷ ଲାଗିଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ସମୋନଙ୍କ ପାଇଁ କିଛି ବ୍ୟବସ୍ଥା କରିବେ ବୋଲି ଆଶା କରିଛନ୍ତି ।