ଦାରିଙ୍ଗବାଡ଼ି : କରୋନା ର ଭୟାବହ ତା କାରଣରୁ ସୁପ୍ରିମକୋର୍ଟ ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଳନ କରାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ l ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଗ୍ରାମରେ ବହୁ ବର୍ଷ ଧରି ପାଳନ ହୋଇଆସୁଥିବା ରଥଯାତ୍ରା ଚଳିତ ବର୍ଷ ବନ୍ଦ ରହିଛି l କେବଳ ମନ୍ଦିର ଭିତରେ ଠାକୁରଙ୍କ ଦେଵନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିବା ବେଳେ ମନ୍ଦିର ଭିତରକୁ ଭକ୍ତମାନଙ୍କୁ ପ୍ରବେଶ ମନା କରାଯାଇଛି l ସିମନବାଡ଼ି ଜଗନ୍ନାଥ ମନ୍ଦିରରେ ସୁପ୍ରିମକୋର୍ଟ ଙ୍କ କଟକଣା ଅନୁସାରେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇନଥିବା ବେଳେ ଦାରିଙ୍ଗବାଡ଼ି ଥାନା ପୁଲିସ ତରଫରୁ ମନ୍ଦିର ସମ୍ମୁଖରେ ବ୍ୟାରିକେଟ କରାଯାଇ ପୁଲିସ ଫୋର୍ସ ମୁତୟନ କରାଯାଇଛି l ଥାନା ଅଧିକାରୀ କୌଶିକ ମାଝୀ ମନ୍ଦିରରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ l ତେବେ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଦର୍ଶନ ପାଇନପାରି ବହୁ ସଂଖ୍ୟକ ଭକ୍ତ ମନ୍ଦିର ନିକଟକୁ ଯାଇ ନିରାଶରେ ଫେରି ଆସୁଥିବା ଦେଖିବାକୁ ମିଳିଥିଲା l