ବୌଦ୍ଧ :ଗତକାଲି ରାତିପ୍ରାୟ ୧୦ଘଣ୍ଟା ସମୟରେ ବିଲମାଳ ମଧ୍ୟରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାବେଳେ ଜଣେ ମହିଳାଙ୍କ ସମେତ ୭ଜଣ ବ୍ୟକ୍ତିଙ୍କୁ ଧରି ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା କରଞ୍ଜକଟା ଗ୍ରାମର ହରିଜନ ସାହିର ଈଶ୍ୱର ବେହେରାଙ୍କ ଘରକୁ ୩ଟି କାର୍ ଯୋଗେ କିଛି ଅଚିହ୍ନା ଲୋକ ଅପରାହ୍ନରେ ଆସିଥିଲେ । ରାତିପ୍ରାୟ ୧୦ଘଣ୍ଟା ସମୟରେ ହରିଜନ ସାହିର କିଛି ଲୋକଙ୍କ ସହ ମିଶି ଦଳବଦ୍ଧ ହୋଇ ଗ୍ରାମର ବିଲମାଳ ମଧ୍ୟରେ ପୂଜାର୍ଚ୍ଚନା କରୁଥିଲେ । ଏ ଘଟଣା ଗ୍ରାମର କିଛି ଯୁବକ ଦେଖିବା ପରେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇଥିଲେ । ଯୁବକ ମାନଙ୍କ ଆସିବା ଦେଖି ସେଠାରେ ଥିବା ପ୍ରାୟ ୧୫ଜଣ ସ୍ଥାନ ଛାଡି ଦଉଡି ପଳାଇଥିଲେ । ଯୁବକମାନେ ସେମାନଙ୍କୁ ଗୋଡାଇ ଗୋଡାଇ ବାହାର ଅଞ୍ଚଳରୁ ଆସିଥିବା ଜଣେ ମହିଳାଙ୍କ ସହ ୭ଜଣଙ୍କୁ କାବି କରିନେଇଥିଲେ । ଏଭଳି ଘଟଣା ଦେଖି ହରିଜନ ସାହି ନିକଟରେ ଥିବା ୨ଟି କାର୍ ପଳାଇଥିଲା । ଯୁବକମାନେ ଅନ୍ୟ କାରଟିକୁ ରୋକି ପାରିଥିଲେ । ଗ୍ରାମର ଗ୍ରାମରକ୍ଷୀ ପ୍ରଫୁଲ୍ଲ ବେହେରାଙ୍କ ସମେତ ଈଶ୍ୱର ବେହେରା ଓ ଗୋଲେଖ ବେହେରାକୁ ଗ୍ରାମବାସୀ ସେମାନଙ୍କ ସହିତ ଧରିଥିଲେ ।
ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଠାରୁ କୋଡି, ଶାବଳ, ଖଣ୍ଡା ଓ ଛୁରି ଆଦି ଉଦ୍ଧାର କରାଯାଇଛି । ସେମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗୁପ୍ତଧନ ଓ ସୁନାହଣ୍ଡା ଆଦି ଖୋଳିବାପାଇଁ କରଞ୍ଜକଟା ଆସିଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ଗ୍ରାମବାସୀ ରାତିରେ ଫୋନଯୋଗେ ଏ ଘଟଣା ସଂପର୍କରେ ପୁରୁଣାକଟକ ପୋଲିସକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ଭୋର୍ ସମୟ ପର୍ଯ୍ୟନ୍ତ ପହଞ୍ଚିପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଭୋର୍ ପ୍ରାୟ ୪ଘଣ୍ଟାବେଳେ ଗ୍ରାମର ଯୁବକମାନେ ବାଇକ ଯୋଗେ ଥାନାକୁ ଆସି କହିବାପରେ ପୋଲିସ କରଞ୍ଜକଟା ଗ୍ରାମକୁ ଯାଇ ସନ୍ଦିଗ୍ଧମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ଏ ସମସ୍ତ ବ୍ୟକ୍ତି କନ୍ଧମାଳ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଅଧିବାସୀ ବୋଲି ଜଣାପଡିଛି । ସେମାନଙ୍କ ସହ ସଂପୃକ୍ତ ଥିବା ଗ୍ରାମର ଈଶ୍ୱର ବେହେରା, ଗୋଲେଖ ପୋଲିସ ଅଟକ ରଖି ପଚରାଉଚୁରା କରୁଛି । ପୋଲିସର ତଦନ୍ତ ପରେ ସେମାନେ କେଉଁ ଉଦ୍ଦେଶ୍ୟରେ ଆସିଥିଲେ ତାହାର କାରଣ ସ୍ପଷ୍ଟ ହେବ ।