ରାସନକାର୍ଡ ବିତରଣରେ ପରିଲକ୍ଷିତ ବିସଙ୍ଗତି ଦୂର କରିବା ପାଇଁ ଦାବି

ସମ୍ବଲପୁର:ବର୍ତ୍ତମାନ କରୋନା ସଙ୍କଟ ଯୋଗୁଁ ଗରିବ ଓ ଗରିବୀ ରେଖାତଳେ (ବିପିଏଲ) ଗୁଜୁରାଣ ମେଣ୍ଟାଉଥିବା ପରିବାର ପାଖରେ ରାସନକାର୍ଡଟିଏ ରହିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବହୁତ ପରିବାରକୁ ଏହା ଯୋଗାଇ ଦିଆଯାଇଛି । ବର୍ତ୍ତମାନ ମଧ୍ୟ ଏହି ପ୍ରକ୍ରିୟା ଅବ୍ୟାହତ ରହିଛି । ଏହି ସନ୍ଦର୍ଭରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି । ଭାଜପା ପକ୍ଷରୁ କୁହାଯାଇଛି ଯେ ଯେତେବି ରାସନକାର୍ଡ ବିତରଣ କରାଯାଇଛି ସେଗୁଡିକରେ ଭୋଟବ୍ୟାଙ୍କ ରାଜନୀତି ଦେଖିବାକୁ ମିଳୁଛି । ରାଜ୍ୟରେ ସତ୍ତାସୀନ ରାଜନୈତିକ ଦଳ ନିଜ ସମର୍ଥକମାନଙ୍କୁ ସୁବିଧା ଯୋଗାଇବା ସ୍ୱାଭାବିକ କିନ୍ତୁ ଏହା ଫଳରେ ଅନ୍ୟମାନଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ ରଖିବା ଆଦୌ ସ୍ୱୀକାର୍ଯ୍ୟ ନୁହେଁ । ସରକାରୀ ସୁବିଧା ପାଇବାର ଅଧିକାର ସମସ୍ତଙ୍କର ରହିଛି ଏଣୁ ଏହାର ସନ୍ତୁଳିତ ଓ ସୁଷମ ବଣ୍ଟନ ହେବାକଥା । ଏସବୁ ଧୈର୍ଯ୍ୟ ସହକାରେ ଶୁଣି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଯେ ଏହି କ୍ଷେତ୍ରରେ ସମସ୍ତ କାର୍ଯ୍ୟ ଏଠାରେ ମହାନଗର ନିଗମ ଜରିଆରେ କରାଯାଇଛି ଓ ଏପରିକି ହିତାଧିକାରୀଙ୍କ ସୂଚୀ ମଧ୍ୟ ସେମାନେ ତିଆରି କରନ୍ତି । ଏହି ଆଲୋଚନାରେ ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ନେତୃତ୍ୱରେ ମହାନଦୀ ମଣ୍ଡଳ ସଭାପତି ସୁଶାନ୍ତ କୁମାର ପୁରୋହିତ, ସମଲେଶ୍ୱରୀ ମଣ୍ଡଳ ସଭାପତି ଶମ୍ଭୁ ବରେଲିଆ, ବୀର ବିର୍ସା ମୁଣ୍ଡା ମଣ୍ଡଳ ସଭାପତି ଗିରିଜା ସାହୁ, ସାକ୍ଷୀଗୋପୀନାଥ ମଣ୍ଡଳ ସଭାପତି ସରୋଜ ଘଡାଇ, ରାଜ୍ୟ ପ୍ରବକ୍ତା ଗୋବିନ୍ଦ ଅଗ୍ରୱାଲ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସଂପାଦକ ଦାମୋଦର କର, ଅନୀଲ ବେହେରା, ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ, ଜିଲ୍ଲାର ସକ୍ରିୟ କାର୍ଯ୍ୟକର୍ତ୍ତା ପ୍ରଦୀପ ବେହେରା, କଳ୍ପେଶ୍ୱର ପ୍ରଧାନ, ଶିବ ଦିୱାନ, ଉଲ୍ଲାସ ବାରିକ, ପିଣ୍ଟୁ ଓରାମ, ସନ୍ତୋଷ ଠାକୁର ପ୍ରମୁଖ ସାମିଲ ଥିଲେ ।

Comments (0)
Add Comment