ସମ୍ବଲପୁର: କରୋନା ସଂକଟ କାଳରେ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହେଉଛି ଓ ଲୋକେ ସମୟାନୁସାରେ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେଉଛନ୍ତି । ଏପରି ଏକ ବିଚିତ୍ର ବାହାଘର ସ୍ଥାନୀୟ ମୁଦିପଡାରେ ଲକଡାଉନର ସମସ୍ତ କଟକଣା ଓ ସାମାଜିକ ଦୂରତା ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଇଛି । ଏହି ବିଚିତ୍ର ବାହାଘରରେ ପାରଂପରିକ ବରଯାତ୍ରୀ ଓ ରୋଶଣି ଆଦି କିଛି ଦେଖିବାକୁ ମିଳିନଥିଲା । ଏପରିକି ପୁରୋହିତଙ୍କ ଦ୍ୱାରା ବିଧି ମନ୍ତ୍ରଉଚ୍ଚାରଣ ପରେ କନ୍ୟାପିତା ସାମାନ୍ୟ ଏକ ଭିଡିଓ କଲ ଜରିଆରେ କନ୍ୟାଦାନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କନ୍ୟା ପୂଜା ଓ ବର ଆକାଶ କୁମାରଙ୍କ ବିବାହ ଅପ୍ରେଲ ୨୬ ତାରିଖ ପାଇଁ ପୂର୍ବରୁ ଲଗ୍ନ ସ୍ଥିର ହୋଇଥିଲା । କିନ୍ତୁ ଇତିମଧ୍ୟରେ ସମସ୍ତ ସ୍ଥିତି ଅସ୍ୱାଭାବିକ ରୂପେ ବଦଳିଯିବାରୁ ପୂର୍ବପରି ପାରଂପାରିକ ରୀତିରେ ବିବାହ ଆଦୌ ସମ୍ଭବ ନ ହେବାରୁ ଉଭୟପକ୍ଷ ପରିବର୍ତ୍ତିତ ପରିସ୍ଥିତିରେ ବିବାହ ସଂପନ୍ନ କରିବା ପାଇଁ ସ୍ଥିର କଲେ । ଏଥିପାଇଁ ସୁଦୂର ଜାମସେଦପୁରରୁ ସମ୍ବଲପୁରକୁ ବରଯାତ୍ରୀ ଆସି ନଥିଲା ଓ ପୁରୋହିତଙ୍କ ଦ୍ୱାରା ମନ୍ତ୍ରୋଚ୍ଚାରଣ ସହିତ ବିବାହକାର୍ଯ୍ୟ ପୁରା ହେଲାପରେ କନ୍ୟାପିତା ଭିଡିଓ କଲ ଜରିଆରେ ବିଧି ପୂରଣ କରିଥିଲେ । ଏହି ବାହାଘରରେ କନ୍ୟାଘର ପକ୍ଷରୁ ମଧ୍ୟ ଅତିଥିଙ୍କ ସଂଖ୍ୟା ସରକାରଙ୍କ ଘୋଷିତ ନିୟମ ମାନି ମାତ୍ର ଦଶ ମଧ୍ୟରେ ସୀମିତ ରଖାଯାଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିବାହ ପରେ ବଧୂ ନିଜେ ଶାଶୁଘରକୁ ଚାଲିଗଲେ ।