ସ୍ପେଶାଲ ଟ୍ରେନ ସଞ୍ଚାଳନରେ ଆଞ୍ଚଳିକ ବିଷମତାର ଅଭିଯୋଗ

ସମ୍ବଲପୁର:ଆଜିଠାରୁ ସମଗ୍ର ଦେଶରେ ଜନସାଧାରଣଙ୍କ ପାଇଁ ୧୫ ଯୋଡି ସ୍ପେଶାଲ ଟ୍ରେନସେବା ଆରମ୍ଭ ହେଉଛି ଓ ଏଥିରେ ଓଡିଶାକୁ ଏକମାତ୍ର ଟ୍ରେନ ମିଳିଛି ଯାହାକି ଦିଲ୍ଲୀରୁ ଭୁବନେଶ୍ୱର ଆସିବ ଓ ପୁଣି ସେଠାକୁ ଫେରିଯିବ । ଏହାଦ୍ୱାରା ଅନେକ ଲୋକଙ୍କ ନିଜସ୍ୱ ଖର୍ଚ୍ଚରେ ଘରବାହୁଡା ସମ୍ଭବ ହେବ ବୋଲି ଆଶା କରାଯାଉଛି । ଏହି ବିଶେଷ ଯାତ୍ରୀଟ୍ରେନ ପାଇଁ ମାର୍ଗ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଛି । ଏହି ଟ୍ରେନ ଖଡଗପୁରରୁ ବାଲେଶ୍ୱର ଜିଲ୍ଲା ବାଟରେ ଆମରାଜ୍ୟରେ ପ୍ରବେଶ କରିବାସହିତ ଉପକୂଳବର୍ତ୍ତୀ ରେଲମାର୍ଗ ଦେଇ ଭୁବନେଶ୍ୱର ପହଞ୍ଚିବ ଯଦିଓ ଦିଲ୍ଲୀରୁ ଭୁବନେଶ୍ୱରକୁ ସମ୍ବଲପୁର ଦେଇ ଯାତ୍ରା କରିଥିଲେ ଏହା ପ୍ରାୟ ୩୫୦ କି.ମି କମ୍ ପଡିଥାନ୍ତା । ପୁନଶ୍ଚ ବର୍ତ୍ତମାନ ଏହା ଯେଉଁ ବାଟରେ ଯାତ୍ରାକରୁଛି ସେହିବାଟରେ ପଡୁଥିବା ଜିଲ୍ଲାବାସୀ ହିଁ ଏହାର ଲାଭ ପାଇପାରିବେ । ଉକ୍ତ ବାଟରେ ଯାଉଥିବାରୁ ଭୁବନେଶ୍ୱର ସହିତ ଉକ୍ତ ଜିଲ୍ଲାଗୁଡିକର ଯୋଗାଯୋଗ ସମ୍ଭବ ହୋଇପାରିବ ଓ ଅନ୍ୟ ଜିଲ୍ଲାର ଅଧିବାସୀ ଏଥିରୁ ବଞ୍ଚିତ ରହିଯିବେ । ଅନ୍ୟପଟେ ସମ୍ବଲପୁର ଦେଇ ରେଲମାର୍ଗ କମ୍ ଦୂରତା ଓ ସ୍ୱଳ୍ପ ବ୍ୟୟସଂପନ୍ନ ଥାଇ ମଧ୍ୟ ପଶ୍ଚିମ ଓଡିଶାକୁ ଏଥିରୁ ବଞ୍ଚିତ ରଖାଯାଇଛି ଓ ଏହାଦ୍ୱାରା ରାଜ୍ୟ ସରକାରଙ୍କ ମନରେ ଆଞ୍ଚଳିକ ବିଷମତା ରହିଥିବା ସ୍ପଷ୍ଟ ହୋଇଛି ବୋଲି ଏଠାକାର ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି । ପଶ୍ଚିମ ଓଡିଶାର ଅନେକ ଲୋକ ଦିଲ୍ଲୀ ଓ ଭୁବ ନେଶ୍ୱରରେ ଫସି ରହିଛନ୍ତି । ଏଣୁ ସେମାନଙ୍କ ବିଷୟରେ ମଧ୍ୟ ରାଜ୍ୟସରକାର ଉପଯୁକ୍ତ ବିଚାର କରନ୍ତୁ ବୋଲି ଦାବି କରାଯାଇଛି ।

Comments (0)
Add Comment