ବୌଦ୍ଧ: କରୋନା ଭଳି ମହାମାରୀ ରାଜ୍ୟରେ ବ୍ୟାପିଥିବାବେଳେ ବିଭିନ୍ନ ସାମଗ୍ରୀ କ୍ରୟରେ ରାଜ୍ୟରେ ହୋଇଥିବା ମହାଦୁର୍ନୀତିର ତଦନ୍ତ ଦାବିକରି କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ୬ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ଔଷଧ ନିଗମ ମହାମାରୀ କରୋନାକୁ ରୋକିବାପାଇଁ ବିଭିନ୍ନ ସରଞ୍ଜାମ ବଜାର ଦରଠାରୁ ଅଧିକ ଚଢାଦରରେ କ୍ରୟକରିିଥିବା କଂଗ୍ରେସ ଅଭିଯୋଗ କରିଛି । କରୋନା ଟେଷ୍ଟିଂ କିଟ୍ ବିଭିନ୍ନ ସମୟରେ ବିଭିନ୍ନ ଦରରେ କ୍ରୟ କରାଯାଇ ଦୁର୍ନୀତି କରାଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ରିୟଲ ଟାଇମ ପିସିଆର ମେସିନ କ୍ରୟକରିବା, ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁଭମେଣ୍ଟ (ପିପିଇ) କିଣିବା, ରାପିଡ କୋଭିଡ ଟେଷ୍ଟିଂ ମେସିନ କିଣିବା, ଔଷଧ, ସାନିଟାଇଜର, ମାସ୍କ ଆଦି କିଣିବା ବାବଦରେ କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିବା କଂଗ୍ରେସ ତରଫରୁ ଅଭିଯୋଗ ହୋଇଛି । ଏସବୁ ଦୁର୍ନୀତିର ବିଧିବଦ୍ଧ ତଦନ୍ତ କରାଯିବାପାଇଁ ଜଣେ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ ଦାବି କରାଯାଇଛି ।
ବୌଦ୍ଧଜିଲ୍ଲା କଂଗ୍ରେସର କୋଭିଡ ପାଇଁ ସଂଯୋଜକ ଦାୟିତ୍ୱରେ ଥିବା ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବରିଷ୍ଠ କଂଗ୍ରେସନେତା ନବ କୁମାର ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ନାରାୟଣ ପ୍ରସାଦ ପରିଜା, ପୂର୍ବତନ ବୌଦ୍ଧବ୍ଲକ ଅଧ୍ୟକ୍ଷ ବ୍ରଜମୋହନ ବେହେରା, ବୌଦ୍ଧବ୍ଲକ କଂଗ୍ରେସ ସଭାପତି ରଘୁନାଥ ପଲିଆ, ପୂର୍ବତନ କାଉନସିଲର ଶିବ ବେହେରା, ପଙ୍କଜ କୁମାର କର୍ଣ୍ଣ, ପୌଲସ୍ତି ପ୍ରଧାନ, ପ୍ରଦୀପ ଦାସ, ପ୍ରଦୀପ ପ୍ରଧାନ ପ୍ରମୁଖ କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।