ବୌଦ୍ଧ,୮/୩- ବୌଦ୍ଧ ଜିଲ୍ଲାର ମଣ୍ଡି ମାନଙ୍କରେ ଧାନ ଉଠୁନାହିଁ l ଚାଷୀ ମୋବାଇଲକୁ ଟୋକେନ ଆସିଛି କିନ୍ତୁ ଜିଲ୍ଲାର ଧାନ କିଣା ଟାର୍ଗେଟ ନ ଥିବାରୁ ମଣ୍ଡି ଗୁଡିକ ଅଚଳ ହୋଇ ଯାଇଛି | ଅନେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡି ରହିଛି | ଜିଲ୍ଲା ପ୍ରଶାସନ କରିଥିବା ନିୟମ ଅନୁଯାୟୀ ସମିତିରୁ ଫିଜିକାଲ୍ ଟୋକନ ନ ପାଇଲେ ଚାଷୀ ମଣ୍ଡିକୁ ଧାନ ଆଣି ପାରିବ ନାହଁ l ଚାଷୀ ଟୋକନ ଧରି ଚାଷୀ ସମିତି କୁ ଧାଇଁ ଧାଇଁ ନିରାଶ ହେବା ପରେ ଆଜି ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ଚାଷୀ ସ୍ୱତଃପ୍ରବୃତ୍ତ ଭାବରେ ଆସି ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ବସି ରହିଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ଗ୍ରୀଷ୍ମ ପ୍ରବାହ ମୁକାବିଲା ବୈଠକରେ ଥିବାରୁ ଚାଷୀ ଜଗି ରହିଥିଲେ l ବିଜେପି ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର୍ ବାଘ ଚାଷୀଙ୍କ ଧାନ ବିକ୍ରୟ ସମସ୍ୟା ନେଇ ଏକ ଦରଖାସ୍ତରେ ଚାଷୀଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଇଥିଲେ l ପରେ ଚାଷୀଙ୍କ ପାଖକୁ ଆସିଥିବା ଟୋକେନର ସମସ୍ତ ଧାନ କିଣା ଯିବା ଦାବିରେ ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟାଳୟ ଆଗରେ ଧାରଣା ଓ ଘେରାଓ କରିଥିଲେ ଚାଷୀ । ଖବର୍ ପାଇ ଚାଷୀଙ୍କ ସହ କୃଷକ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର ସାମିଲ୍ ହୋଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ବସି ରହିଥିଲେ l ମିଳିଥିବା ସୁଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ ତରଫରୁ ଆଉ 10 ହଜାର ମେଟ୍ରିକ ଟନ ଟାର୍ଗେଟ ସରକାରଙ୍କୁ ମଗା ଯାଇଛି | ଧାନ ବିକ୍ରୟ କରି ନ ପାରିବା ଆଶଙ୍କାରେ ପ୍ରତିଦିନ ଶହ ଶହ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଆସୁଥିବା ଦେଖିବାକୁ ମିଳିଛି l