ଅପହରଣର କାରଣ ଅସ୍ପଷ୍ଟ; ତୃତୀୟ ଦିନରେ ମଧ୍ୟ ପୁଲିସର ହାତ ଖାଲି

ସମ୍ବଲପୁର : ଏଠାକାର ଜଣେ ପ୍ରତିଷ୍ଠିତ ଷ୍ଟିଲ ବ୍ୟବସାୟୀ ନରେଶ ଅଗ୍ରୱାଲ(୬୩)ଙ୍କ ଶୁକ୍ରବାର ଦିନ ଅପହରଣ ଓ ୧୨ ଘଣ୍ଟା ଭିତରେ ସୁରକ୍ଷିତ ଘର ବାହୁଡ଼ାର ଆଜି ତୃତୀୟ ଦିନରେ ମଧ୍ୟ ଏହି ଘଟଣା ପଛରେ ନିହିତ କାରଣ ସ୍ପଷ୍ଟ ହୋଇ ପାରିନାହିଁ । ଏକ ଅସ୍ପଷ୍ଟ ସୂତ୍ରରୁ ଜଣାପଡିଛି ଯେ ଏହା ପଛରେ ଜମିକିଣାକୁ ନେଇ ଏକ ବିବାଦ ରହିଥିଲା, ଯାହାରକି ସମାଧାନ ହୋଇଥିବାରୁ ଅପହରଣକାରୀ ତାଙ୍କୁ ଅକ୍ଷତ ଅବସ୍ଥାରେ ଛାଡ଼ି ଦେଇଥିଲେ । ସେ ପ୍ରାୟ ୧୨ଘଣ୍ଟା ଅପହରଣକାରୀ ଙ୍କ କବଜାରେ ରହିଥିବା ସମୟରେ ବିବାଦର ସମାଧାନ ସହ ଲେଣଦେଣ ମଧ୍ୟ ସମ୍ପନ୍ନ ହୋଇଯାଇଥିଲା ଓ ରାଉରକେଲା ଠାରେ ଉକ୍ତ ବିବାଦିତ ଧନରାଶି ପଇଠ କରାଯାଇଥିଲା । ଏହାପରେ ବିନା କ୍ଷତିରେ ତାଙ୍କୁ ଛାଡି ଦିଆଯାଇଛି । ଏବିଷୟରେ କିନ୍ତୁ ନରେଶ ନିଜେ କିମ୍ବା ତାଙ୍କ ପକ୍ଷରୁ କେହି ଅଧିକୃତ ରୂପେ କିଛି କହି ନାହାନ୍ତି । ଏ ବିଷୟରେ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି ଯେ ଅପହରଣ ପରେ ତାଙ୍କୁ ହୀରାକୁଦ ଆଖପାଖ ଅଞ୍ଚଳରେ ରଖାଯାଇଥିଲା । ସେ ଦିନ ରାତିରେ ତାଙ୍କୁ ଭୋକରେ ନରଖି ଖାଇବାକୁ ଡାଲି ଓ ରୁଟି ଦିଆଯାଇଥିଲା । ପରେ ବିଳମ୍ବିତ ରାତି ପ୍ରାୟ ୧୧ ଟା ସମୟରେ ହୀରାକୁଦ ଏଫସିଆଇ ଗୋଦାମ ପାଖ ଏକ ରାସ୍ତା କଡ଼ରୁ ପୁଲିସ ଟିମ ତାକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ବୟାନ ରେକର୍ଡ କରା ଯାଇଥିଲା ଓ ପ୍ରାୟ ୩ଟା ସମୟ ରେ ତାଙ୍କୁ ଘରେ ପହଞ୍ଚାଇ ଦିଆଗଲା । ଏ ବିଷୟରେ ଶାସନ ଥାନାରେ କେସ ନ:୧୨୩/୨୦ ରୁଜୁ କରାଯାଇ ଆଇପିସି ଧାରା ୩୬୪ ଓ ୩୪ ଅନ୍ତର୍ଗତ ଅପରାଧ କାୟମ କରି ତଦନ୍ତ କରାଯାଉଛି । ଜିଲ୍ଲା ପୁଲିସ ଅଧିକ୍ଷକ ଡ଼ା କୁନ୍ୱର ବିଶାଳ ସିଂହଙ୍କ ନିର୍ଦ୍ଦେଶନାରେ ବର୍ତମାନ ଏହି ମାମଲାର ତଦନ୍ତ ପାଇଁ ଏକ ବିଶେଷ ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରାଯାଇଛି ।

Comments (0)
Add Comment