ଦଶପଲ୍ଲା : ଷ୍ପଷ୍ଟ ଦିବାଲୋକରେ ଲୁଟେରା ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା । କିଛି ଦିନର ବିରତି ପରେ ପୁଣି ଥରେ ରାଜରାସ୍ତାରେ ଆରମ୍ଭ ହୋଇଛି ଲୁଟ୍ପାଟ୍ । ମିଳିଥିବା ସୂଚନା ଅନୁସାରେ ଗତକାଲି ଦଶପଲ୍ଲା ଷ୍ଟେଟ୍ ବ୍ୟାଙ୍କରୁ ଭୋଳେଶ୍ୱର କହଁର ନାମକ ଜନୈକ ବ୍ୟକ୍ତି ଅଢେଇ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ରାସ୍ତାରେ ଦୁଇଜଣ ଲୁଟେରା ତାଙ୍କଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ , ଦଶପଲ୍ଲା ଷ୍ଟେଟ୍ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ଉଠାଇ ଭୋଳେଶ୍ୱର କଅଁର ଅଟୋ ଯୋଗେ ନିଜ ଘର କଣପାଜୁ ଗ୍ରାମକୁ ଫେରୁଥିବା ସମୟରେ ଦୁଇଜଣ ଲୁଟେରା ତାଙ୍କୁ ପିଛା କରିଥିଲେ । କିନ୍ତୁ ଏହି କଥା ଭୋଳେଶ୍ୱର ଜାଣି ପାରିନଥିଲେ । ତାଙ୍କ ବେକ ବହୁ ଜୋର୍ରେ କୁଣ୍ଡେଇ ହେବାରୁ ସେ ବାରପୁରିକିଆ ନିକଟରେ ଥିବା ନଳକୂପ ପାଖରେ ଅଟୋ ରଖି ପାଣିରେ ଧୋଇଥିଲେ । ତାଙ୍କ ପାଖରେ ସମସ୍ତ ଟଙ୍କା ନେଇ ରଖିଥିଲେ । ଠିକ୍ ସେହି ସମୟରେ ପିଛା କରୁଥିବା ଦୁଇଜଣ ଲୁଟେରା ହଠାତ୍ ଭୋଳେଶ୍ୱରଙ୍କ ପାଖରେ ପହଞ୍ଚି ଟଙ୍କା ଧରି କୁଆଡେ ଗାଏବ୍ ହୋଇଯାଇଥିଲେ । ଏହି ଘଟଣାରେ ଭୋଳେଶ୍ୱର ଦଶପଲ୍ଲା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅତିରିକ୍ତ ଦାୟିତ୍ୱରେ ଥିବା ବାଣୀଗୋଛା ଥାନା ଅଧିକାରୀ ମୁକେଶ କୁମାର ବେହେରା ସିସିଟିଭି ଯାଞ୍ଚ କରି ଦୋଷୀଙ୍କୁ ଧରାଯିବ ବୋଲି କହିଛନ୍ତି । କିଛିଦିନ ପରେ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାରେ ପୁଣି ଥରେ ଲୁଟପାଟ୍ ହେବା ନେଇ ପଥଚାରୀ ମାନେ ଭୟଭୀତ ହୋଇ ପଡ଼ିଛନ୍ତି ।