ଶନିବାର ଓ ରବିବାର ୧୧ଜିଲ୍ଲା ସଟଡାଉନ: ମାସ୍କ ନ ପିନ୍ଧିଲେ ହେବେ ଗିରଫ ଓ ଦେବେ ଜରିମାନା

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୧ ଗାଇଡଲାଇନ ଆସିବା ପରେ ରାଜ୍ୟ ସରକାର ଆଜି ରାଜ୍ୟର ସ୍ଥିତିକୁ ଦେଖି ଅନଲକ୍‌-୧ର ଗାଇଡଲାଇନ ଜାରି କରିଛନ୍ତି । ଏହି ଅନୁଯାୟୀ ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟଡାଉନ କରାଯିବ । ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟଡାଉନ କରିବାକୁ ଘୋଷଣା କରାଯାଇଛି । ସଂପୃକ୍ତ ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବଲାଙ୍ଗୀର, ଭଦ୍ରକ ଓ ବାଲେଶ୍ୱର । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆଜି ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ଅନଲକ-୧ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଓ ଗାଇଡଲାଇନ ଅନୁପାଳନ ନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ର୍‌ିପାଠୀ କହିଛନ୍ତି ରାଜ୍ୟରେ ଏବେ କରୋନା ମହାମାରୀ ସଂଗୀନ ଅବସ୍ଥାରେ ପହଞ୍ଚିଛି । ଗୋଟିକ ପରେ ଗୋଟିଏ ଜିଲ୍ଲାକୁ ପ୍ରବେଶ କରି ଏହା ଆମକୁ କବଳିତ କରି ରଖିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । କରୋନା ଗତିରେ ଓଡିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ମହାମାରୀ ବୃଦ୍ଧି ପାଇଛି । ଏଣୁ ଏଭଳି ସମୟରେ ଆମକୁ କିଭଳି ଭାବରେ ଶୃଙ୍ଖଳିତ ଭାବେ ଜୀବନଶୈଳୀ ରଖିବାକୁ ପଡିବ ସେ ସଂପର୍କରେ ସରକାର ଉଦ୍ୟମ କରୁଛନ୍ତି । ଜନସାଧାରଣ ଏହାପ୍ରତି ଅଧିକ ଗୁରୁତ୍ୱ ଦେଇ ସତର୍କ ହେଲେ ଏହାକୁ ପ୍ରତିରୋଧ କରିପାରିବା । ଏହି କାରଣରୁ ରାଜ୍ୟ ସରକାର ସପ୍ତାହରେ ଦୁଇଦିନ ଶନି ଓ ରବିବାରକୁ ୧୧ଜିଲ୍ଲାରେ ସଟଡାଉନ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଦୁଇ ଦିନ କୌଣସି ସରକାରୀ ଅଫିସ ମଧ୍ୟ ଖୋଲା ରହିବ ନାହିଁ । ସଟଡାଉନ ବେଳେ କେବଳ ଔଷଧ ଦୋକାନ ଖୋଲା ରହିବ । ସଟଡାଉନ ସମୟରେ ସରକାରଙ୍କ ପକ୍ଷରୁ ଜରୁରୀ ସେବା ଯୋଗାଇ ଦିଆଯିବ । ବିମାନ ଓ ଟ୍ରେନ୍ ଚଳାଚଳ ଜାରି ରହିବ । ଏହି ସମୟରେ ମେଡିକାଲ, ଅଗ୍ନିଶମ, ବିଦ୍ୟୁତ ବିଭାଗ କାର୍ଯ୍ୟ କରିବ । ଜନସାଧାରଣ ଚଳପ୍ରଚଳ ଉପରେ ଏହି ସମୟରେ ସଂପୂର୍ଣ୍ଣ କଟକଣା ଲାଗୁ ହେବ । ଜରୁରୀ କାର୍ଯ୍ୟ ବ୍ୟତୀତ କୌଣସି ବ୍ୟକ୍ତି ଘରୁ ବାହାରି ପାରିବେ ନାହିଁ । ଏହି ସମୟରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହିତ ତେଜରାତି ଦୋକାନ ମଧ୍ୟ ବନ୍ଦ ରହିବ । ପେଟ୍ରୋଲ ପମ୍ପ ଖୋଲା ରହିବ । ଗଣମାଧ୍ୟମକୁ ଏହି ସମୟରେ ଖୋଲା ରହିବାକୁ ଅନୁମତି ରହିଛି । ସେହିଭଳି ପୁଲିସ ମହାନିର୍ଦ୍ଦେଶକ ଅଭୟ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଲେ ଯେ, ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ନେଇ ଆସିବାରୁ ରାଜ୍ୟରେ କରୋନା ସ୍ଥିତି ଜଟିଳ ହୋଇପଡିଛି । ଏଣୁ ତାହାକୁ ଭୟ ନକରି ଆମେ ମୁକାବିଲା କରିବାର ସମୟ ଆସିଛି । ଏହି କାରଣରୁ ଆମେ ସମସ୍ତେ ମାସ୍କ ପିନ୍ଧିବା । ଯଦି କେହି ମାସ୍କ ନ ପିନ୍ଧି ବାହାରେ ବୁଲିଥିବା ଅବସ୍ଥାରେ ଧରାପଡନ୍ତି ତେବେ ସେମାନଙ୍କୁ ଗିରଫ କରାଯିବ ଓ ଜରିମାନା ଆଦାୟ ହେବ । ଡିଜିପ ଶ୍ରୀ ଅଭୟ କହିଲେ ଅନଲକ-୧ ଗାଇଡଲାଇନ ଅନୁଯାୟୀ ଜନସାଧାରଣ ଚଳିବାକୁ ବାଧ୍ୟ । ଯେଉଁଥିରେ ସର୍ବସାଧାରଣରେ ଛେପ ପକାଇବା ମନା ଓ ସେହିଭଳି ମାସ୍କ ପ୍ରଥମ ଓ ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ । ତୃତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ମାସ୍କ ନପନ୍ଧିଲେ ଜରିମାନା ସହ ଗିରଫ ମଧ୍ୟ କରାଯିବ । ଏପିଡେମିକ୍ ଆକ୍ଟ ଅନୁସାରେ ଏହା ଅନୁପାଳନ କରିବା ପାଇଁ ବାଧ୍ୟ ବୋଲି ସେ ସତର୍କ କରାଇଛନ୍ତି । ଡିଜିପି କହିଛନ୍ତି ବିନା କାରଣରେ ବାହାରେ ବୁଲିବା ମଧ୍ୟ ଅପରାଧ ଭାବେ ଗ୍ରହଣ କରାଯିବ । ସାରା ଜୁନ୍ ମାସ ପାଇଁ ସପ୍ତାହ ଦୁଇଦିନ ସଟଡାଉନ ହେବ । ଅନ୍ତେଷ୍ଟ୍ରିକ୍ରିୟା ପାଇଁ ୨୦ଜଣଙ୍କୁ ଅନୁମତି ମିଳିବ । ବିବାହ କାର୍ଯ୍ୟରେ ଅନୁମତି ନେଇ ୫୦ଜଣ ଏକାଠି ହୋଇପାରିବେ । ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବପରି ବଳବତ୍ତର ରହିବ । କେନ୍ଦ୍ର ସରକାର ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରି ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଗାଇଡଲାଇନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏହି ନିୟମକୁ କୋହଳ କରିନାହାନ୍ତି । ଓଡିଶାରେ ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଲାଗୁ ହେବ । ସେହିଭଳି କେନ୍ଦ୍ର ସରକାର ଚଳିତ ସପ୍ତାହ ୮ ତାରିଖରୁ ସପିଂ ମଲ ଖୋଲିବାକୁ ଅନୁମତି ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଏହା ଉପରେ ରୋକ ଲଗାଇଛନ୍ତି । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ଓଡିଶାରେ ସପିଂମଲ, ଜିମ୍‌, ପାର୍କ, ସିନେମା ହଲ, ଅଡିଟୋରିୟମ ଖୋଲିବ ନାହିଁ । ଜୁନ୍ ୩୦ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ସେହିଭଳି କୌଣସି ରାଜନୈତିକ, ସାଂସ୍କୃତିକ, ଧାର୍ମିକ ସମାବେଶ ମଧ୍ୟ ହୋଇପାରିବ ନାହିଁ । ସବୁଠି ସାମାଜିକ ଦୂରତା ରଖି ଚଳିବାକୁ ହେବ । ସେହିଭଳି ମଠ, ମନ୍ଦିର, ଗିର୍ଜା ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଏହାକୁ ଖୋଲିବା ପାଇଁ କୁହାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହା ଉପରେ ରୋକ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୪ରୁ ରାଜ୍ୟରେ ସବୁ ମନ୍ଦିର, ମସଜିଦ୍‌, ଗିର୍ଜା,ଉପସାନ ସ୍ଥଳ ବନ୍ଦ ରହିଛି ।

Comments (0)
Add Comment